କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଭିତରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବ ଦାସଙ୍କ ହତ୍ୟାକୁ ନେଇ ବିରୋଧୀ ଓ ଶାସକ ଦଳର ବୟାନବାଜି ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଜାନୁଆରୀ ୨୯ ତାରିଖରେ ଗୋପାଳ ଗୁଳିରେ ନବ ଦାସଙ୍କ ମୃତ୍ୟୁ ହେବା ପରେ ଘଟଣାର ଗୁରୁତ୍ୱକୁ ଦେଖି ସେହି ଦିନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ସବୁ ଦିଗରୁ ତଦନ୍ତ କରାଯାଉଛି । ତଦନ୍ତରେ ସ୍ୱଚ୍ଛତା ପାଇଁ ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଛି । ଗୋପାଳର ବିହେଭିୟୋରାଲ ଆନାଲିସିସ୍ ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ଲୋଡିଛି କ୍ରାଇମବ୍ରାଞ୍ଚ । ଏ ଦିଗରେ ସହାୟତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ଏଥିସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି ନବୀନ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତି କିନ୍ତୁ ବିରୋଧୀଙ୍କ ଶାନ୍ତ କରାଇପାରିନି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଯେଉଁ କାଗଜ ଦେଲେ ସେ ତାକୁ ପଢ଼ିଦେଲେ । ତା ଭିତରେ କଣ ଅଛି ପଚାରିଲେ କହିପାରିବେନି । ଏଥିସହ ସରକାର ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ଏବଂ ହାଇକୋର୍ଟ ପୂର୍ବତନ ବିଚାରପତି ଜେ.ପି.ଦାସଙ୍କୁ ନିଯୁକ୍ତି କରିଥିବା କଥା ସମ୍ପୂର୍ଣ୍ଣ ମିଛ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ, କିନ୍ତୁ ଦୁଃଖର ବିଷୟ ତାଙ୍କ କଥାରେ କିଛି ନୂଆ ନାହିଁ ।
ନବ ଦାସଙ୍କ ହତ୍ୟାକୁ ନେଇ ଯେତେବେଳେ ସାରା ରାଜ୍ୟ ଉଠୁଛି ପଡୁଛି, ରାଜନୈତିକ ବୟାନବାଜି ବଢ଼ି ବଢ଼ି ଚାଲିଛି, ସେତିକିବେଳେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି ତଦନ୍ତ ନେଇ ବଡ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ନବ ଦାସଙ୍କ କାହିଁକି ଗୋପାଳ ଗୁଳି କଲା, ସେ ପ୍ରସଙ୍ଗରେ କିଛି କହିନାହାନ୍ତି ମୁଖ୍ୟମନ୍ତ୍ରୀ ।
Follow Us