ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ନ୍ୟାୟାଳୟରେ ଦେଲେ ଚ୍ୟାଲେଞ୍ଜ ।

97

କନକ ବ୍ୟୁରୋ: ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଇଡି ଗିରଫଦାରିକୁ ବୈଧ ଦର୍ଶାଇ ମାମଲାକୁ ଖାରଜ କରିଥିଲେ ହାଇକୋର୍ଟ । କୋର୍ଟ କହିଥିଲେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଖାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଫଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରିକୁ ଯଥାର୍ଥ ବୋଲି କହିଥିଲେ ହାଇକୋର୍ଟ । ଏହାପରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ମଙ୍ଗଳବାର ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ପୂର୍ବରୁ ଦିଲ୍ଲୀ ରାଉସ୍ ଏଭେନ୍ୟୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧୫ ଯାଏଁ ତିହାର ଜେଲରେ ରହିବେ କେଜ୍ରିୱାଲ । ତେବେ ସପ୍ତାହକୁ ୫ଥର ଓକିଲଙ୍କୁ ଭେଟିବାକୁ ଯେଉଁ ଆବେଦନ କେଜ୍ରିୱାଲ କରିଥିଲେ ତାକୁ କୋର୍ଟ ଖାରଜ କରିଛନ୍ତି । ତେଣୁ ସପ୍ତାହକୁ ୨ ଥର ଓକିଲଙ୍କୁ ଭେଟି ପାରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାସହ ନିଜ ପତ୍ନୀ, ପିଲା ଓ କିଛି ଘନିଷ୍ଠ ବନ୍ଧୁଙ୍କୁ ଜେଲ୍ରେ ଭେଟିବା ନେଇ ଅନୁମତି ମିଳିଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ଇଡି । ୯ଥର ସମନ ପାଇବା ସତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡି ନିକଟରେ ହାଜର ହୋଇନଥିଲେ । ତେବେ ଗିରଫ ପରେ କୋର୍ଟ ତାଙ୍କୁ ଇଡି ରିମାଣ୍ଡରେ ପଠାଇଥିଲେ । ଏପ୍ରିଲ ୧ ଶୁଣାଣୀରେ କେଜ୍ରିୱାଲଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।