ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ : ଉନ୍ନୟନ ପ୍ରକଳ୍ପର ଉଦଘାଟନ ସହ ସାଧାରଣ ସଭାରେ ଦେଲେ ଉଦବୋଧନ

29

କନକ ବ୍ୟୁରୋ : ଅକ୍ଷୟ ତୃତୀୟାରେ ଆଜି ଅକ୍ଷିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳର କିଶୋରନଗର ନାକଚିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୃଷକଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏହାର ଫାଇଦା ଚାଷୀଙ୍କୁ ମିଳୁଛି । ଅକ୍ଷିମୁଠି ଅନୁକୂଳ ସହ ରାଜ୍ୟରେ ଚାଷକାମ ଆରମ୍ଭ ହୋଇଛି । ଏହାସହ ରାଜ୍ୟସ୍ତରୀୟ କୃଷକ ଦିବସ ବି ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ନାକଚି ଓ ଯଦୁପୁର ଜନସୁବିଧା କେନ୍ଦ୍ର ସହ ଅନେକ ସେତୁ ରହିଛି । ସେହିଭଳି ୧୫୬ କୋଟି ଟଙ୍କା ଖର୍ଚରେ ଗୌତମପୁରରେ ପ୍ରତିଷ୍ଠା ହେବାକୁ ଥିବା ଗ୍ରୀଡର ଭିତ୍ତିିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ । ପରେ ବଡଡାଙ୍ଗିଆଣିରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।

ଅକ୍ଷିମୁଠି ଅନୁକୂଳ ସହ ଚାଷୀ ପୁଅ ଆଜି ଚାଷ କାମ ଆରମ୍ଭ କରିଛି । ଓଡିଶା ଭଳି କୃଷିପ୍ରଧାନ ରାଜ୍ୟ ପାଇଁ ଏହି ପର୍ବ ବେଶ ମହତ୍ୱ ରଖୁଛି । ଆଜି ଚାଷୀ ବିଲରେ ବିହନ ବୁଣି ଚାଷ କାମର ଆରମ୍ଭ କରିଛି । ଆଜିର ଦିନରେ ବିନାପାଞ୍ଜି ଦେଖି ସମସ୍ତ କାମର ଶୁଭାରମ୍ଭ କରାଯାଇଥାଏ । ସେହିଭଳି କୌଣସି ଅନୁକୂଳ କାମ ପାଇଁ ଅକ୍ଷୟତୃତୀୟାକୁ ଭଲ ଦିନ ବୋଲି ଧରିନିଆଯାଇଥାଏ । ଅକ୍ଷୟତୃତୀୟାକୁ ସମୃଦ୍ଧିର ଦିନ ଭାବେ ବିଚାର କରାଯାଇଥାଏ । ସେପଟେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ବାଙ୍କିର ପାଥପୁରରେ ଅକ୍ଷିମୁଠ ଅନୁକୂଳ କରିଛନ୍ତି ବସନ୍ତ ପଣ୍ଡା । ଏଥିରେ ବିଜେପି ରାଜ୍ୟ ସଭାପତିଙ୍କ ସହ ବରିଷ୍ଠ ନେତା ସାମିଲ ହୋଇଥିଲେ ।