କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ।

105

କନକ ବ୍ୟୁରୋ : ଯେଉଁ ପ୍ରକଳ୍ପକୁ ନେଇ କଳାହାଣ୍ଡିବାସୀ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ସେହି ସ୍ୱପ୍ନର ପ୍ରକଳ୍ପ- ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି, ଆଜି ଦେଶର ଭାତହାଣ୍ଡି ହୋଇଛି । କଳାହାଣ୍ଡି, ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ପାଲଟିଛି । ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ କଳାହାଣ୍ଡିର ଚାଷୀଙ୍କୁ ପ୍ରଶଂସା କରିଛନ୍ତି ନବୀନ ।

୯୮୬ କୋଟି ଟଙ୍କାରେ ନିର୍ମିତ ଏହି ବୃହତ ଉଠାଜଳସେଚନ ପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ ।

ନବୀନ କହିଛନ୍ତି, ଇଦ୍ରାବତୀ କେବଳ ନଦୀ ନୁହେଁ, ଆମର ମାଆ । କଳାହାଣ୍ଡିର ଜୀବନ ରେଖା । ଏହାର ଟୋପାଏ ପାଣି ନଷ୍ଟ ନକରି କଳାହାଣ୍ଡିର ବିକାଶ ପାଇଁ ବ୍ୟବହାର କରିବାକୁ ଚାଷୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଇଦ୍ରାବତୀର ଅବଦାନକୁ ସମ୍ମାନ ଜଣାଇ ଏଠାରେ ମ୍ୟୁଜିୟମ, ଉଦ୍ୟାନ ଓ ଇଦ୍ରାବତୀଙ୍କ ମନ୍ଦିର ମଧ୍ୟ ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୪ଟି ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତିି । ଏହି ଅବସରରେ କଳାହାଣ୍ଡି ସହ ବିଜୁବାବୁଙ୍କ ସଂପର୍କର ସ୍କୃତିଚାରଣ କରିଥିଲେ ନବୀନ ।

ମେଗା ଉଠା ଜଳସେଚନ ପ୍ରକଳ୍ପ ସହ ଉଦ୍ଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ୍, ଭବାନୀପାଟଣାରେ ନୂଆ ବସଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ । ସେହିପରି କେସିଙ୍ଗାରେ ମଡେଲ ବସ୍ତିର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ରଘୁନନ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିନ୍ସ ଡ୍ୟାସ ଗ୍ରୁପ୍ ଆକର୍ଷଣୀୟ ନୃତ୍ୟ ଜରିଆରେ କଳାହାଣ୍ଡିର ବିକାଶର ଧାରା ଉପସ୍ଥାପନ କରିଥିଲେ ।