ବରଗଡ ଜିଲ୍ଲା଼କୁ ନବୀନଙ୍କ ବଡ ଭେଟି । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

121

କନକ ବ୍ୟୁରୋ: ସବୁ ରାଜନୈତିକ ଦଳର ଫୋକସରେ ରହିଛି ପଶ୍ଚିମ ଓଡିଶା । ଏହି କ୍ରମରେ ଆଜି ପଶ୍ଚିମ ଓଡିଶା ଗସ୍ତରେ ଯାଇ ବରଗଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ନିର୍ବାଚନ ପୂର୍ବରୁ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ।

  • ବରଗଡକୁ ନବୀନଙ୍କ ବଡ ଭେଟି
  • ୬୨ଟି ପ୍ରକଳ୍ପର କଲେ ଲୋକାର୍ପିତ
  • ୨୧ଟି ପ୍ରକଳ୍ପର ଶୁଭ ଉଦଘାଟନ

ନିର୍ବାଚନ ପୂର୍ବରୁ ବରଗଡ ଗସ୍ତରେ ଯାଇ ଜିଲ୍ଳାବାସୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଐତିହାସିକ ପଦକ୍ଷେପ ନେଇ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ୧୬୭୭ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଏହାର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ପାଣି ମିଳିବ । ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବ । ଏଥିସହ ୨ହଜାର ୧୪୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୨ଟି ପ୍ରକଳ୍ପର ଲୋକାର୍ପଣ ଓ ୨୬୩ କୋଟି ଟଙ୍କା ବ୍ୟୟରେ ୨୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି ନବୀନ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ଯୋଗୁଁ କେମିତି ଗଙ୍ଗାଧର ମେହେର ପ୍ରକଳ୍ପ ସଫଳ ହୋଇଛି ତାହା କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଏଥିସହ ନିକଟରେ ରାଜ୍ୟ ସରକାର କେମିତି ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡିକରେ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ସେସବୁ କହିଛନ୍ତି ୫-ଟି ଅଧ୍ୟକ୍ଷ । ତେବେ ଏହାକୁ ଭେଳିକି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଗସ୍ତରେ ଥିବା ଧର୍ମେନ୍ଦ୍ର କହିଛନ୍ତି, ଏ ଭଳି ଭେଳିକିକୁ ଲମ୍ବା ସମୟ ଧରି ଲୋକଙ୍କୁ ପ୍ରଭାବିତ କରିବ ନାହିଁ ।

କେବଳ ଏତିକି ନୁହେଁ, ଆଗକୁ ନିର୍ବାଚନ ଆସୁଥିବାରୁ ଏହି ବୟାନବାଜି ଆହୁରି ଜୋରଦାର ହେବ ବୋଲି କୁହାଯାଉଛି । କିନ୍ତୁ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ପଶ୍ଚିମଓଡିଶାର ଜିଲ୍ଲା ପରେ ଜିଲ୍ଲା ଗସ୍ତ କରିବା ଓ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା, ଦର୍ଶାଉଛି ରାଜ୍ୟ ସରକାରଙ୍କ କେତେ ଫୋକସରେ ଅଛି ଏହି ଜିଲ୍ଲା ।