କନକ ବ୍ୟୁରୋ : ବଢୁଛି ବିଜେଡି-ବିଜେପି ବିବାଦ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଯବାବ ଦେଲେ ଧାମନଗରର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଗତକାଲି ସସ୍ମିତ ଟୁଇଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଥିଲେ, ଗତ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀ ବିଶ୍ୱାସ କରିଆସୁଛନ୍ତି । ସାଢେ ୪ କୋଟି ଓଡ଼ିଆ ତାଙ୍କଚ ୨୨ ବର୍ଷ ଧରି ଆର୍ଶିବାଦ କରିଆସୁଛନ୍ତି । ପଦ୍ୱପୁରବାସୀ ନବୀନଙ୍କ ଉପରେ ପୁରା ବିଶ୍ୱାସ ରଖିଛନ୍ତି । ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ରାତିଅଧିଆ କ୍ୟାବିନେଟ୍ ବୈଠକର କୌଣସି ଆବଶ୍ୟକ ନାହିଁ । ଏହା ଉପରେ ଧର୍ମେନ୍ଦ୍ର ପ୍ରଧାନ ଅବଗତ ନାହାଁନ୍ତି ବୋଲି କହିଥିଲେ ସସ୍ମିତ ପାତ୍ର ।
ସସ୍ମିତଙ୍କ ଏହି ଟୁଇଟର ଜବାବ ଦେଇ ଧାମନଗରର ନୂଆ ବିଧାୟକ ସୁର୍ଯ୍ୟବଂଶୀ ସୂରଜ କହିଛନ୍ତି, ଭାଇ ଆପଣ ବୋଧେ ଅବଗତ ନାହାଁନ୍ତି ୨୨ ବର୍ଷ ଧରି ସାଢେ ୪ କୋଟି ଓଡ଼ିଆ ବିଶ୍ୱାସଘାତକତାର ଶୀକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସୁରଜ କହିଛନ୍ତି, ଯଦି ଆପଣ ଓଡ଼ିଆ ବୁଝିପାରୁନାହାଁନ୍ତି ତେବେ ଏହା ସବୁଠୁ ଚିନ୍ତାଜନକ । ଓଡ଼ିଶାରେ ନୂଆ ଜିଲ୍ଲା ଗଠନ କରିବା ପାଇଁ କୌଣସି ପ୍ରସ୍ତାବ ନଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ । ଯାହା ସ୍ପଷ୍ଟ କରୁଛି ପଦ୍ମପୁର ଉପନିର୍ବାଚନ ଜିତିବା ପାଇଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ମିଛ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ମନଗଢା କଥା ଲୋକେ ବୁଝିଗଲେଣି । କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବାକୁ କହି ୪ ହଜାର ଟଙ୍କା ଦିଆଯାଉଛି ବୋଲି କହିଛନ୍ତି ସୁରଜ । ତୁମ ନେତାଙ୍କୁ କାହାକୁ ଟାର୍ଗେଟ କରିବା ବଦଳରେ ପ୍ରତିଶ୍ରୁତି ପୁରଣ କରିବାକୁ କୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ସୁରଜ ।