କନକ ବ୍ୟୁରୋ: ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ଆଜି ରାତିରେ ଦିଲ୍ଲୀ ଯିବେ । ଚର୍ଚ୍ଚା ହେଉଛି ବିକଶିତ ଓଡ଼ିଶା ପାଇଁ ମୋଦୀ ଯେଉଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ମନ୍ତ୍ର ନେଇ ଫେରିବେ ନୂଆ ସରକାରର ଶୀର୍ଷ ନେତୃତ୍ୱ । ମୋଦୀ ଗ୍ୟାରେଣ୍ଟିକୁ କିଭଳି ରାଜ୍ୟରେ ଉପଯୋଗ କରାଯାଇ ପାରିବ ଏବଂ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ ସେନେଇ ପ୍ରସ୍ତୁତି କରିବ ରାଜ୍ୟ ୟୁନିଟ ।

Advertisment
  • ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ମୋଦୀ ଗ୍ୟାରେଣ୍ଟି ନେଇ ହେବ ଆଲୋଚନା
  • ପ୍ରସ୍ତୁତ ହେବ ଓଡିଶା ବିକାଶର ବ୍ଲୁପ୍ରିଣ୍ଟ

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିବା ପରେ, ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଡାକରା ଆସିବା ପରେ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସୌଜନ୍ୟମୂଳକ ସାକ୍ଷାତ କୁହାଯାଉଥିଲେ ବି, ଏହି ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନିଜେ ସଭାମଞ୍ଚରୁ ଏକାଧିକ ଗ୍ୟାରେଣ୍ଟି ଦେଇଥିଲେ । ବିଜେପି ସରକାର ଆସିଲେ ବିକଶିତ ଓଡିଶା ଗଢ଼ିବାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେଗୁଡିକ କେମିତି କାର୍ଯ୍ୟକାରୀ ହେବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ଆଲୋଚନାର ପ୍ରସଙ୍ଗ କଣ ହୋଇପାରେ...

  • ବିଜେପି ଘୋଷଣା କରିଥିବା ଯୋଜନା କାର୍ଯ୍ୟକାରୀ ଲାଗି ଆବଶ୍ୟକ ଅର୍ଥ ନେଇ ଆଲୋଚନା
  • ଆଉ କିଛି ନୂଆ ଯୋଜନା ଘୋଷଣା କରିବା ପାଇଁ ପରାମର୍ଶ ମାଗିପାରନ୍ତି ମୁଖ୍ୟମନ୍ତ୍ରୀ
  • ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି, କେମିତି ପୂରଣ ହେବ
  • ମନ୍ତ୍ରୀମଣ୍ଡଳରେ ୯୫ ପ୍ରତିଶତ ନୂଆ ହୋଇଥିବାରୁ ସେମାନଙ୍କୁ ନେଇ କେମିତି ସରକାର ଚାଲିବ
  • ଦୃଢ଼ ବିରୋଧୀ ଦଳକୁ କେମିତି ମାତ୍ ଦିଆଯିବ ମନ୍ତ୍ର ଆଣିବେ

ତେବେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡିଶା ଫେରିବା ପରେ ଡବଲ ଇଞ୍ଜିନ ସରକାରର ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏବଂ ଓଡିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ କଣ ରଣନୀତି ରହିଛି, ତାହା ସ୍ପଷ୍ଟ ହୋଇଯିବ ।