ଜାମ୍ମୁ-କାଶ୍ମୀରେ ୩ ବିଜେପି କର୍ମୀଙ୍କ ହତ୍ୟାର ପ୍ରତିଶୋଧ ନେଲା ସେନା । ହତ୍ୟାର ୭୨ ଘଂଟା ମଧ୍ୟରେ ହଜ୍ଜିବୁଲ ଆତଙ୍କୀ ସଂଗଠନର ମୁଖ୍ୟ କମାଣ୍ଡରକୁ ଏନକାଉଣ୍ଟର କରି ହତ୍ୟା

351

କନକ ବ୍ୟୁରୋ : ଜମ୍ମୁ- କାଶ୍ମୀର ରାଜଧାନୀ ଶ୍ରୀନଗରୀରେ ରବିବାର ଭାରତୀୟ ସୁରକ୍ଷା ବଳ ହାତରେ ଲାଗିଛି ବଡ ସଫଳତା । ଜମ୍ମୁ-କାଶ୍ମୀର ପୋଲିସର କହିବା ମୁତାବକ ଶ୍ରୀନଗରରେ ପୋଲିସ ଓ ଆତଙ୍କୀ ସଂଗଠନ ହଜ୍ଜିବୁଲ ମୁଜ୍ଜାହିଦ୍ଦିନ୍ ମଧ୍ୟରେ ହୋଇଥିବା ଲଢେଇରେ ହଜ୍ଜିବୁଲ ମୁଜାହିଦ୍ଦିନ୍ ର ମୁଖ୍ୟ କମାଣ୍ଡର ଡ, ସୈଫଉଲ୍ଲାକୁ ଭାରତୀୟ ସୁରକ୍ଷା ବଳ ଏନକାଉଣ୍ଟର କରି ହତ୍ୟା କରିଛି । ଏହାସହ ଅନ୍ୟଜଣେ ଆତଙ୍କବାଦୀକୁ ଜୀବନ୍ତ ଧରିବାରେ ସଫଳ ହୋଇଛି ଭାରତୀୟ ସୁରକ୍ଷାବଳ । ଶ୍ରୀନଗରର ରଙ୍ଗରଥ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହି ସୂଚନା ପାଇବା ପରେ ପୋଲିସ ଓ ସୁରକ୍ଷାବଳ ତୁରନ୍ତ ଉକ୍ତ ଅଞ୍ଚଳକୁ ଘେରାବନ୍ଦି କରିଦେଇଥଲେ।

ସୁରକ୍ଷାବଳ ଘେରିଯିବା ଦେଖି ଆତଙ୍କବାଦୀ ମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଲୁଚିଥିବା ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ସୁରକ୍ଷାବଳ ଚେତାବନି ଦେଇଥିଲେ । ହେଲେ ଆତଙ୍କବାଦୀମାନେ ଏହାକୁ ଅଣଦେଖା କରି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଏହାର ଯବାବ୍ ଦେବାକୁ ଯାଇ ସୁରକ୍ଷାକର୍ମୀ ମାନେ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ହଜ୍ଜିବୁଲ ମୁଜ୍ଜାହିଦିନ୍ ର ମୁଖ୍ୟ କମାଣ୍ଡର ଡ.ସୈଫଉଲ୍ଲାଙ୍କ ମୃତ୍ୟୁ ହୋଇଥିବା ସୁରକ୍ଷାବଳ ସୂଚନା ଦେଇଛି ।

ଚଳିତବର୍ଷ ମେ ମାସରେ ହଜ୍ଜିବୁଲ ମୁଜ୍ଜାହିଦ୍ଦିନ୍ ର ମୁଖ୍ୟ କମାଣ୍ଡର ରିୟାଜ ନାଇକୁର ମୃତ୍ୟୁ ପରେ ସୈଫଉଲ୍ଲାଙ୍କୁ ହଜ୍ଜିବୁଲ କମାଣ୍ଡର ଭାବେ ନିଯୁକ୍ତି ଦେଇଥିଲା । ସେବେଠାରୁ ଭାରତୀୟ ସୁରକ୍ଷାବଳ ପାଇଁ ସୈଫଉଲ୍ଲା ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ।

ଅନ୍ୟପଟେ ଏହି ଅପରେଶନରେ ଯେଉଁ ଆତଙ୍କବାଦୀକୁ ଜୀବନ୍ତ ଧରାଯାଇଛି ସେ ସ୍ଥାନୀୟ ଅଞ୍ଚଳର କି ବିଦେଶୀ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି କି ଯେଉଁ ଆତଙ୍କବାଦୀଙ୍କୁ ଧରାଯାଇଛି ସେ ସଂଦିଗ୍ଧ ଓ ତାଙ୍କୁ ପଚରା ଉଚରା କରାଯାଉଛି ।