ଦିଲ୍ଲୀରେ ପହଁଚିଲା ଛତିଶଗଡ କଂଗ୍ରେସ କନ୍ଦଳ । ମୁଖ୍ୟମନ୍ତ୍ରୀ ପଦ ନେଇ ଭୂପେଷ ବଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ଫାଟ

141

କନକ ବ୍ୟୁରୋ: ଦିଲ୍ଲୀରେ ପହଁଚିଲା ଛତିଶଗଡ କଂଗ୍ରେସ କନ୍ଦଳ । ମୁଖ୍ୟମନ୍ତ୍ରୀ ପଦ ନେଇ ଭୂପେଷ ବଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ଦେଖାଦେଇଛି ଫାଟ । ଯାହାକୁ ନେଇ ଉଭୟ ନେତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ରାହୁଲ ଗାନ୍ଧି ।

ମୁଖ୍ୟମନ୍ତ୍ରୀ ଆଶନ ପାଇଁ ଛତିଶଗଡ କଂଗ୍ରେସରେ ଫାଟ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୫୦-୫୦ ଫର୍ମୁଲା ଥିବାବେଳେ, ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ ଭୁପେଷ ଭଘେଲ । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ବରିଷ୍ଠ ନେତା ତଥା ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ । ରାଜ୍ୟରେ କଂଗ୍ରେସ ଶାସନର ଅଢେଇ ବର୍ଷ ପୂରଣ ହୋଇ ସାରିଛି । ଆଉ ଏବେ ତାଙ୍କ ପାଳି ମୁଖ୍ୟମନ୍ତ୍ରୀ ପଦରେ ବସିବାର । ହେଲେ ସେପରି କିଛି ନ ହୋଇଥିବାରୁ ଛତିଶଗଡ କଂଗ୍ରେସରେ ସୃଷ୍ଟି ହୋଇଛି ଫାଟ । ଆଉ ଏହାକୁ ନେଇ ଦୁଇ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲ ଓ ଟିଏସ ସିଂହଦେଓଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ରାହୁଲ ଗାନ୍ଧୀ ।

ଡିସେମ୍ବର ୧୭, ୨୦୧୮ରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଯେତେବେଳେ ଭୂପେଷ ବଘେଲ ଶପଥ ଗ୍ରହଣ କଲେ, ସେତେବେଳେ ଭୂପେଷ ବଘେଲ ଏବଂ ଟିଏସ ସିଂହଦେଓ ୫୦-୫୦ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ରାଜି ହୋଇଥିଲେ । ହେଲେ ଏବେ ମୁଖ୍ୟମନ୍ତ୍ରୀ ବଘେଲଙ୍କ ଅଢେଇ ବର୍ଷ ଶେଷ ହୋଇଥିଲେ ବି ପଦ ଛାଡିବାକୁ ସେ ନାରାଜ । ଯାହାକୁ ନେଇ ଛତିଶଗଡ କଂଗ୍ରେସ ଦୁଇ ଭାଗରେ ବାଂଟି ହୋଇଯାଇଛି । ସେପଟେ କଂଗ୍ରେସ କନ୍ଦଳକୁ ନେଇ ବିଜେପି ପୁଣିଥରେ ଟାର୍ଗେଟ କରିଛି ।

ବୁଧବାର ରାହୁଲ ଗାନ୍ଧି ଉଭୟ ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲ ଓ ଟିଏସ ସିଂହଦେଓଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ଛତିଶଗଡ କଂଗ୍ରେସ ସଭାପତି ପିଏ ଏଲ ପୁନିଆ ମଧ୍ୟ ସାମିଲ ହେବେ ବୋଲି ଜଣା ପଡିଛି ।