କନକ ବ୍ୟୁରୋ : ଏଟିଏମ ପାଇଁ ମିଥ୍ୟା ବିଜ୍ଞାପନ ଦେଇ ଅନଲାଇନରେ ୨ ଲକ୍ଷ ଟଙ୍କା ଠକେଇ । ଏନେଇ ଅଭିଯୋଗ ହେବା ପରେ ପଶ୍ଚିମବଙ୍ଗରୁ ମଳୟ ମୈତ୍ରୀ ନାମକ ଯୁବକଙ୍କୁ ଗିରଫ କରିଛି କୋରାପୁଟ ସାଇବର ଥାନା ପୋଲିସ । ଅଭିଯୋଗ ଅନୁସାରେ ଏଟିଏମ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଠକ ମଳୟ ମୈତ୍ରୀ ବିଭିନ୍ନ ଖବରକାଗଜରେ ମିଥ୍ୟା ବିଜ୍ଞାପନ ଦେଇଥିଲା । ବିଜ୍ଞାପନ ଦେଖି କୋରାପୁଟ ବୋରିଗୁମ୍ମା ଅଂଚଳର ମାନସୀ ମିଶ୍ର ଯୋଗାଯୋଗ କରିଥିଲେ ।

ଧୂର୍ତ ମଳୟ ମୈତ୍ରୀ ଫୋନରେ ଏଟିଏମ କାଉଣ୍ଟର ପାଇଁ ସ୍ଥାନ ଚିହ୍ନଟ କରିବାକୁ କହିବା ସହ ମାଲିକାନା ପାଇଁ ପ୍ରଥମେ କିଛି ଅର୍ଥ ଦେବାକୁ କହିଥିଲା । ଏଟିଏମ ବସିଲେ ଅଧିକ ଲାଭ ମିଳିବା ଆଶାରେ ମଳୟ କଥାରେ ପଡି ମାନସୀ ୨ଲକ୍ଷ ଟଙ୍କା ଅନଲାଇନରେ ପୈଠ କରିଥିଲେ । ଏହାପରେ ମଳୟ ଧରାଛୁଆଁ ନଦେବାରୁ ମାନସୀ ଠକାମିର ଶିକାର ହୋଇଥିବା ଜାଣି ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୋରାପଟୁ ଏସପିଙ୍କ ନିର୍ଦ୍ଦେଶକ୍ରମେ ସାଇବର ଥାନାର ଏକ ଟିମ ମଳୟର ମୋବାଇଲରୁ ଟ୍ରାକ କରି ତାକୁ ପଶ୍ଚିମବଙ୍ଗରୁ ଗିରଫ କରିଛନ୍ତି ।ତା ନିକଟରୁ ୨ ଲ କ୍ଷ ଟଙ୍କା ଓ ୩ଟି ମୋବାଇଲ ଜବତ ହୋଇଛି । ପୋଲିସ ଏବେ ଏହି ଠକଇରେ ଆଉ କେଉଁମାନେ ସଂପୃକ୍ତ ତାର ଖୋଳତାଡ କରୁଛି ।