ଆଜି ବିଜେ ହେବେ ଆଜ୍ଞାମାଳ । ପରିଚାଳନା କମିଟି ସଦସ୍ୟଙ୍କ ପ୍ରେସମିଟରେ ସୂଚନା । ବିନା ଭକ୍ତରେ ରଥଯାତ୍ରା କରିବାକୁ କରାଗଲା ଅନୁରୋଧ , ସେପଟେ ଅସହଯୋଗର ଚେତାବନୀ ଦେଲା ଦଇତାପତି ନିଯୋଗ

202

କନକ ବ୍ୟୁରୋ : ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଆଜି ରଥକୁ ବିଜେ ହେବେ ଆଜ୍ଞାମାଳ । ଏଥିପାଇଁ ନୀତି ନିଘଂଟ ନିର୍ଦ୍ଧାରିତ ହୋଇସାରିଛି । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି-ଯଥା ରୀତିରେ ଆଜି ଆଜ୍ଞାମାଳ ଆସିବ । ଆଜ୍ଞାମାଳ ଆସିବାରେ ସୁପ୍ରିମକୋର୍ଟଙ୍କ ରାୟ ସହ କୌଣସି ସମ୍ପର୍କ ନାହିଁ । ଆଉ ଏଥିପାଇଁ ନୀତିନିଘଂଟ ସ୍ଥିର ହୋଇଛି ।

ସେ ଆହୁରୀ କହିଛନ୍ତି- ରାଜ୍ୟ ସରକାର ଚାହିଁଲେ ଅଡିନାନ୍ସ ଆଣି ରଥଯାତ୍ରା କରିପାରିବେ । ବଡ଼ କଥା ହେଉଛି ଦାସମହାପାତ୍ର କହିଛନ୍ତି, ଯଦି ଆଜ୍ଞାମାଳ ନଆସେ ତାହେଲେ ରଥଯାତ୍ରା ବନ୍ଦ ବୋଲି ଜାଣିବେ । ଏଥିସହ ବିନା ଭକ୍ତରେ ରଥଯାତ୍ରା କରିବାକୁ ଅନୁରୋଧ କରିଛନ୍ତି ସେବାୟତ ।

ଏପଟେ ଅସହଯୋଗର ଚେତାବନୀ ଦେଇଛି ଦଇତାପତି ନିଯୋଗ । ରଥଯାତ୍ରା ପାଇଁ କୌଣସି ଶାସ୍ତ୍ରୀୟ ପରମ୍ପରା ବିରୋଧ କାର୍ଯ୍ୟରେ ଦଇତାପତି ନିଯୋଗର ସହମତି ରହିବ ନାହିଁ ବୋଲି ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି । କୋଭିଡ୍ ନିୟମାବଳୀ ଅନୁସାରେ କରାଇବା ପାଇଁ ଦଇତାପତି ନିଯୋଗର ସମସ୍ତ ସଦସ୍ୟ ପ୍ରତିଶୃତିବଦ୍ଧ ବୋଲି ଏଥିରେ କୁହାଯାଇଛି ।