ଉଷ୍ମ ହେଉଛି ରାଜ୍ୟ ରାଜନୀତି: କିଏ ଜିତିବ? ସବୁ ଦଳର ନେତାଙ୍କ ଛାତି ଧଡ୍ ଧଡ୍, ଜାତୀୟ ସମୀକରଣରେ ଓଡ଼ିଶାର ଭୂମିକା ନେଇ ଚର୍ଚ୍ଚା

ବିଜେଡି ଉପରେ ବିଜେପି ଓ କଂଗ୍ରେସର ନଜର

532

କନକ ବ୍ୟୁରୋ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ ମାଡ଼ରେ ଉପକୂଳ ଓଡ଼ିଶାର ପୁରୀ ଓ ଭୁବନେଶ୍ବର ସାଂଘାତିକ କ୍ଷତି ସହିଛି। ଏଠାରେ ଲୋକେ ଏବେ ବି ଜୀବନ-ଜୀବିକାକୁ ନେଇ ସଂଘର୍ଷ ଜାରି ରଖିଛନ୍ତି। ବାତ୍ୟା ପରବର୍ତୀ ପୁନର୍ନିମାଣରେ ପ୍ରଶାସନ ବ୍ୟସ୍ତ। ତା ସତ୍ତ୍ବେ, ଆଉ ୧୦ ଦିନରେ ଅର୍ଥାତ୍ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟଗଣତି ଓ ନିର୍ବାଚନ ଫଳାଫଳ ନେଇ ଅବଗଣନା ଆରମ୍ଭ ହୋଇଗଲାଣି। ଫଳାଫଳ କ’ଣ ହେବ, କାହା ସପକ୍ଷରେ ଜନମତ ଯାଇଛି, ସେନେଇ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ମଧ୍ୟରେ ହିସାବ କିତାବ ଆରମ୍ଭ ହୋଇଛି।

ଯଦିଓ ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ଓ ପ୍ରସାରଣ ଉପରେ ନିଷେଧାଦେଶ ରହିଛି, ତଥାପି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା କରିଥିବା ଆକଳନକୁ ନେଇ ଛକ, ବଜାରରେ ଚର୍ଚ୍ଚା ଜୋର ଧରିଛି। ସମାନ୍ତରାଳ ଭାବେ ବିଜେଡି, ବିଜେପି ଓ କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ସେମାନଙ୍କ ହିସାବ ନିକାସରେ ଚୂଡାନ୍ତ ସ୍ପର୍ଶ ଦେଉଛନ୍ତି। କେଉଁ ଆସନରେ ଜିତିବେ, ସଂଖ୍ୟା କେତେ ହେବ, କେଉଁ ସବୁ ଆସନ ଉଣେଇଶ-ବିଶ ସ୍ଥିତିରେ ଅଛି, ଏନେଇ ଶୀର୍ଷସ୍ତରରେ ଅଙ୍କକଷା ଚାଲିଛି। କେବଳ ସେତିକି ନୁହେଁ, କେଉଁ କେଉଁ ନେତା ଦଳ ବିରୋଧରେ କାର୍ଯ୍ୟ କରିଛନ୍ତି, ସେମାନଙ୍କ ତାଲିକା ବି ତିଆରି ଚାଲିଛି।

ଏହି ନିର୍ବାଚନ ତିନିଟି ସଙ୍କେତ ଦେଇଛି। ପଞ୍ଚମ ଥର କ୍ଷମତା ଦଖଲ ପାଇଁ ବିଜେଡିକୁ ଏତେ ଅଧିକ ପରିଶ୍ରମ କରିବାକୁ ପଡିଛି, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଟିମ ଗତ ୪ଟି ନିର୍ବାଚନରେ ସାମ୍ନା କରିନଥିଲେ। ସବୁଠାରୁ ଅଧିକ ବିରୋଧ ସାମ୍ନା କରିଛି ବିଜେଡି। ନିଜେ ମୁଖିଆ ଶେଷ ପର‌୍ୟ୍ୟାୟରେ ପ୍ରାୟ ୧୫୦ ସଭା ଓ ୧୦୦୦ କିଲୋମିଟର ବୁଲିଛନ୍ତି। ହାତଗଣତି କିଛି ନିର୍ବାଚନମଣ୍ଡଳୀ ଛାଡିଦେଲେ ପ୍ରାୟ ସବୁ ଆସନରେ ପ୍ରଚାର କରିଛନ୍ତି। ଦଳର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି, ବିଜେଡି ଶାସନକୁ ଫେରିବା ନିଶ୍ଚିତ। ସଂଖ୍ୟା ନେଇ କିନ୍ତୁ ବିଭିନ୍ନ ନେତାଙ୍କ ହିସାବ ଅଲଗା ଅଲଗା।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ବିଜେପି ଗତ ୨୫ ବର୍ଷ ଭିତରେ ସବୁଠାରୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଏଥର ନିର୍ବାଚନ ଲଢିଛି। ବିଜେ଼ଡି ସହିତ ମେଣ୍ଟ ଥିବାବେଳେ ଦଳ ମାତ୍ର ୬୩ଟି ଆସନକୁ ନଜରରେ ରଖିଥିଲା। ଏଥର ଓଡ଼ିଶା ଦଖଲ ଲାଗି ବିଜେପି ପ୍ରାୟ ସବୁ ସୁଯୋଗକୁ ବ୍ୟବହାର କରିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚଥର ଆସିଛନ୍ତି। ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ େଯାଗୀ ଆଦିତ୍ୟନାଥ ପ୍ରମୁଖଙ୍କ ଭଳି ମାଳ ମାଳ େନତା ଓଡ଼ିଶାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଓ ବିଜେଡିକୁ େଛାଟ କରି ଦେଖାଇବା ଲାଗି ସମାଲୋଚନାର ସବୁ ସ୍ତରକୁ ଅତିକ୍ରମ କରିଛନ୍ତି। ଦଳ ଆଶା କରୁଛି, ବିଧାନସଭା ଓ ଲୋକସଭାରେ ସେମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବେ। ବିଧାନସଭା ନ ହେଲେ ବି ବିଜେଡି ଠାରୁ ଅଧିକ ଲୋକସଭା ଆସନ ଦଖଲ କରିବେ।

କଂଗ୍ରେସ ସବୁଠାରୁ ଦୁର୍ବଳ ସଂଗଠନରେ ଏ ନିର୍ବାଚନ ମଇଦାନରେ ଯୁଝିଛି। ପୂର୍ବରୁ ଏଭଳି ସ୍ଥିତି କେବେ ହୋଇନଥିଲା। ଶେଷ ମୁହୂର୍ତ ପର୍ଯ୍ୟନ୍ତ ବିଧାୟକ ଓ ନେତାମାନେ ଦଳ ଡିଆଁରେ ମାତିଥିଲେ। ପ୍ରାର୍ଥୀମାନେ ଟିକେଟ୍ ଫେରାଇ ନେତୃତ୍ବର ଚିନ୍ତା ବଢାଉଥିଲେ। ଦଳର କେନ୍ଦ୍ରୀୟ ନେତୃତ୍ବର ଫୋକସରେ ଯଦିଓ ଓଡ଼ିଶା ନଥିଲା, ତଥାପି ରାଜ୍ୟ ନେତାମାନେ ଆଶା କରିଛନ୍ତି, ବିଧାନସଭାରେ ସେମାନଙ୍କ ପ୍ରଦର୍ଶନ କିଛି ଖରାପ ରହିବ ନାହିଁ। ଜଣେ ଟାଣୁଆ ନେତାଙ୍କ ଯୁକ୍ତିକୁ ବିଶ୍ବାସ କରାଗଲେ, କଂଗ୍ରେସ ଗତଥର ଅପେକ୍ଷା ଅଧିକ ଆସନରେ ଜିତିବ ବୋଲି ଦଳ ଆଶାବାଦୀ ରହିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଭିନ୍ନ କାରଣରୁ ୨୩ ତାରିଖ ନିର୍ବାଚନ ଫଳାଫଳକୁ ଦେଖୁଛନ୍ତି। ରାଜ୍ୟରେ ବିଜେଡି କ୍ଷମତାକୁ ଫେରିବ, ବିଜେପି ଅଧିକ ଆସନରେ ଫେରିବ ବା କଂଗ୍ରେସ ତାର ସ୍ଥିତି ରକ୍ଷା କରିପାରିବ ଏକଥାକୁ ସେମାନେ ସେତେଟା ଗୁରୁତ୍ବ ଦେଉନାହାନ୍ତି। ସଂପ୍ରତି ଜାତୀୟ ରାଜନୀତି ପୃଷ୍ଠଭୂମିରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଏହି ମହଲ ପୂର୍ବାନୁମାନ କରୁଛନ୍ତି। ନିର୍ବାଚନ ପରେ ପରେ କେନ୍ଦ୍ର ସରକାରଙ୍କ ସହଯୋଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା, ରାଜ୍ୟ ବିଜେପିର ଅପେକ୍ଷାକୃତ ନରମ ଆଭିମୁଖ୍ୟ ଓ ସର୍ବୋପରି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ରାଜନୀତି କେନ୍ଦ୍ର ସରକାର ଗଠନର ଏକ ବଡ଼ ସୂତ୍ର ସଂପର୍କରେ ସଙ୍କେତ ଦେଉଛି। ଯଦି କେନ୍ଦ୍ରରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ ନ କରେ, ତେବେ ବିଜେପିକୁ ବିଜେଡି ସମର୍ଥନ ଦେଇପାରେ।