ଦେଶର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ନିଖିଳ ଓଡିଶା ପାଇକ ସଂଘ

103

କନକ ବ୍ୟୁରୋ: ଦେଶର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ସ୍ୱୀକୃତି ଦେଇନଥିବାରୁ ଏହାର ତୀବ୍ର ପ୍ରତିବାଦ କରିଛି ନିଖିଳ ଓଡିଶା ପାଇକ ସଂଘ । ରାଜ୍ୟ ସଭାପତି ଅଶୋକ ପାଲଟାସିଂହ କହିଛନ୍ତି, ଓଡିଶା ଇତିହାସକୁ ଉପେକ୍ଷା କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ମଧ୍ୟ ଏହାକୁ ନିରବଦ୍ରଷ୍ଟା ସାଜି ଦେଖୁଛନ୍ତି । ତେଣୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ପାଇକ ବିଦ୍ରୋହକୁ ମାନ୍ୟତା ନମିଳିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆଉଏକ ପାଇକ ବିଦ୍ରୋହ ହେବ ବୋଲି ସଂଘ ଚେତାବନୀ ଦେଇଛି ।

ଭାରତବର୍ଷର ପ୍ରଥମ ବିଦ୍ରୋହ ହେଉଛି ପାଇକ ବିଦ୍ରୋହ । ପ୍ରଥମ ମୁକ୍ତି ସଂଗ୍ରାମର ଏନ୍ତୁଡିଶାଳ ଖୋର୍ଦ୍ଧା ମାଟି । ଦିଲ୍ଲୀରେ କେନ୍ଦ୍ର ସରକାର ଏହାକୁ ପ୍ରଥମ ବିଦ୍ରୋହ ଘୋଷଣା କରିଥିଲେ ସୁଦ୍ଧା ଇତିସାହରେ ସ୍ଥାନ ଦେଲେନାହିଁ କିମ୍ବା ସିବିଏସଇ ପାଠ୍ୟକ୍ରମରେ ସ୍ଥାନ ଦେଲେନାହିଁ । ଏହା ଓଡିଆ ପାଇକମାନଙ୍କ ପ୍ରତି କୁଠାରଘାତ ବୋଲି ଅଭିଯୋଗ କରିଛି ନିଖିଳ ଓଡିଶା ପାଇକ ସଂଘ । ଚଳିତବର୍ଷ ଦେଶ ପାଳନ କରୁଛି ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତି । ଏହାକୁ ବଡ ଧରଣର ଆୟୋଜନ କରିବାକୁ ଅନେକ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

ଏଥିପାଇଁ ମାର୍ଚ ମାସରୁ ଅଗଷ୍ଟ ମାସ ଯାଏଁ ବହୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦେଶର କେଉଁ ସ୍ଥାନରେ କି କାର୍ଯ୍ୟକ୍ରମ ହେବ , ତାହାର ଏକ ତାଲିକା ଆପାତତଃ ଚୂଡାନ୍ତ ହୋଇଛି । ପାଇକ ବିଦ୍ରୋହ ସ୍ମୃତିରେ ତାହାର ଏକ କାର୍ଯ୍ୟକ୍ରମ ଭୂବନେଶ୍ୱରରେ ମଧ୍ୟ ରଖାଯାଇଛି । କିନ୍ତୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନି ନାହାନ୍ତି କେନ୍ଦ୍ର ସରକାର । ବରଂ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।