ବକେୟା ବିଲକୁ ନେଇ କଠୋର ହେଲା କେନ୍ଦ୍ର: ୧୩ ରାଜ୍ୟ ଉପରେ ଲାଗିଲା କଟକଣା

264

କନକ ବ୍ୟୁରୋ: ବିଦ୍ୟୁତ୍ ଉତ୍ପାଦନ ପାଇଁ ଲଗାଯାଇଥିବା ଜେନେରେଟର ଗୁଡିକର ବିଲ ପରିଶୋଧ ନ କରୁନଥିବା ରାଜ୍ୟଗୁଡିକ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରଛନ୍ତି କେନ୍ଦ୍ର ସରକାର । ବିଲ ବାକି ରଖିଥିବା ୧୩ ରାଜ୍ୟର ୨୭ ଟି ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଉପରେ କଟକଣା ଲଗାଇଛନ୍ତି ମୋଦୀ ସରକାର । ବକେୟା ବିଲ ପୈଠ ନ କରିବା ଯାଏ ସେମାନେ ବିଦ୍ୟୁତ୍ କିଣାବିକା କରିପାରିବେ ନାହିଁ ବୋଲି ନିଷ୍ପତି ନିଆଯାଇଛି । ତାମିଲନାଡୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ବିହାର, ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସମେତ ୧୩ ଟି ରାଜ୍ୟ ଉପରେ ଏହି କଟକଣା ଲଗାଯାଇଛି । ଏହି ରାଜ୍ୟଗୁଡିକର ମୋଟ ୫ ହଜାର ୧୦୦ କୋଟି ଟଙ୍କାର ବିଲ ବାକି ରହିଛି ।

ବକେୟା ବିଲ ଠିକ୍ ସମୟରେ ପୈଠ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଅଧିନରେ ଥିବା ବିଦ୍ୟୁତ୍ ବିତରଣକାରୀ ସଂସ୍ଥାଗୁଡିକୁ ବାରମ୍ବାର କହୁଥିଲେ ମଧ୍ୟ ସେମାନେ ଅଣଦେଖା କରୁଥିଲେ । ଯେଉଁଥି ପାଇଁ କେନ୍ଦ୍ର ଏଭଳି କଡା ପଦକ୍ଷେପ ଗ୍ରହଣ କରୁଥିବା କୁହାଯାଉଛି ।

ବିଦ୍ୟୁତ୍ ବିତରଣକାରୀ ସଂସ୍ଥାଗୁଡିକ ଏଭଳି ବାକି ଟଙ୍କା ଦେଉନଥିବାରୁ ସେମାନଙ୍କର ବକେୟା ବିଲ ୧ ଲକ୍ଷ କୋଟି ଟଙ୍କାରେ ପହଂଚିଯାଇଥିଲା । ପରେ କେନ୍ଦ୍ର ସରକାର ଏହି ବକେୟା ରାଶିରେ କିଛିଟା କୋହଳ କରିବା ସହ ସଂସ୍ଥାଗୁଡିକୁ ଟଙ୍କା ନୁଆ ପ୍ଲାନ ଆଧାରରେ ବିଲ ପୈଠ କରିବାକୁ କହିଥିଲେ । ସଂସ୍ଥାଗୁଡିକ ବାକିଥିବା ବିଲ୍ ପୈଠ କରୁଥିବା ବେଳେ ନୂଆ ବିଲ ପୈଠ କରୁନଥିବା ସରକାରୀ ଅଧିକାରୀମାନେ କହିଛନ୍ତି । ଯଦି ଏହି ସଂସ୍ଥାଗୁଡିକ ଉଭୟ ପୂର୍ବ ଏବଂ ବର୍ତମାନର ବିଲ ପୈଠ ନ କରନ୍ତି ସେମାନଙ୍କୁ ବିଦ୍ୟୁତ୍ କିଣାବିକା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

କେଉଁ ସଂସ୍ଥାର କେତେ ବାକି ?
ତାମିଲନାଡୁ ଜେନେରେସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ କ୍ରପ୍-୯୨,୪୮୧ ଲକ୍ଷ ଟଙ୍କା
ଜମ୍ମୁ କାଶ୍ମୀର ପାୱାର ଡିଷ୍ଟ୍ରିବ୍ୟୁସନ୍-୩୪,୪୮୧ ଲକ୍ଷ ଟଙ୍କା
ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ୍-୩୮,୦୫୧ ଲକ୍ଷ ଟଙ୍କା
ଯୋଧପୁର ବିଦ୍ୟୁତ୍ ବିତରଣ ନିଗମ-୨୭,୫୮୨ ଲକ୍ଷ ଟଙ୍କା
ହୁବୁଳି ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ୍- ୨୩ ,୩୯୦ ଲକ୍ଷ ଟଙ୍କା
ମଧ୍ୟପ୍ରଦେଶ ପାୱାର ମ୍ୟାନେଜମେଂଟ୍ -୨୨,୯୧୧ ଲକ୍ଷ ଟଙ୍କା
ଝାଡ଼ଖଣ୍ଡ ବିଜୁଳି ବିତରଣ ନିଗମ-୨୧,୪୪୭ ଲକ୍ଷ ଟଙ୍କା
ତେଲେଙ୍ଗାନା ଷ୍ଟେଟ୍ ପାୱାର ଡିଷ୍ଟ୍ରିବ୍ୟୁସନ୍- ୧୯ ହଜାର ୭୬୭ ଲକ୍ଷ ଟଙ୍କା
ଆନ୍ଧ୍ରପ୍ରଦେଶ ପାୱାର ଡିଷ୍ଟ୍ରିବ୍ୟୁସନ୍ ୧୭ ହଜାର ୨୬୫ ଲକ୍ଷ ଟଙ୍କା
ଜୟପୁର ବିଦ୍ୟୁତ ବିତରଣ ନିଗମ-୧୨,୫୯୦ ଲକ୍ଷ ଟଙ୍କା

ପୈଠ ନେଇ ପ୍ରଥମ ଥର କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଏହି ରାଜ୍ୟଗୁଡିକ ମଧ୍ୟରେ କିଛି ବିଜେପି ଶାସିତ ରାଜ୍ୟ ମଧ୍ୟ ଅଛି । ତେବେ ଏହା ଉପରେ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଏବଂ ରାଜ୍ୟ ଗୁଡିକ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି ।