ପ୍ରଥମ ଦଫାରେ ୫୦ ଲକ୍ଷ କରୋନା ଟିକା ପାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ସେପଟେ ଭାରତ ସହ ମିଶି ଟିକା ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କଲା ରୁଷ୍

1,456

କନକ ବ୍ୟୁରୋ : ଭାରତ ସହ ମିଶି ଟିକା ଉତ୍ପାଦନ କରିବାକୁ ଚାହୁଁଛି ରୁଷ୍ । ବିଶ୍ୱର ପ୍ରଥମ କରାନା ଟିକା ‘ସ୍ପୁଟନିକ –ଭି’ ବାହାର କରିଥିବା ଆଗରୁ ଦାବି କରି ସାରିଛି ରୁଷ । ଏବେ ରୁଷ୍ ଚାହୁଁଛି ଭାରତ ସହ ମିଶି ଏହାର ଉତ୍ପାଦନ ବଢ଼ାଇବାକୁ । ଟିକା ପ୍ରସ୍ତୁତି ପ୍ରକିୟାରେ ସାମିଲ ଥିବା ଆରଡିଆଏଫ ସଂଗଠନର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟିକାର ଉତ୍ପାଦନ ଏକ ବଡ଼ ପ୍ରସଙ୍ଗ । ଆଉ ଏନେଇ ଭାରତ ସହ ମିଶି ‘ସ୍ପୁଟନିକ –ଭି’ ଟିକା ଉତ୍ପାଦନ କରିବାକୁ ଚାହୁଁଛୁ ।

ଭାରତରେ ବ୍ୟାପକ ପରିମାଣରେ ଟିକା ଉତ୍ପାଦନ ସମ୍ଭବ ହେବ, ଯାହା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି । ଏହାସହ ଭାରତରେ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା କରିବାକୁ ଚାହୁଁଛି ସଂସ୍ଥା । ପୂର୍ବରୁ ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷ ଦାବି କରିଥିଲା । ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ କରିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏପରିକି ପୁଟିିନଙ୍କ ଝିଅକୁ କରୋନାର ପ୍ରଥମ ଟିକା ଦିଆଯାଇଥିଲା । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଗାମାଲିଆ ନ୍ୟାସନାଲ ସେଂଟର ମିଳିତ ଭାବେ ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିଛନ୍ତି ।

ଏହାର କ୍ଲିନିକାଲ ଟ୍ରାଏଲ ଶହେପ୍ରତିଶତ ସଫଳ ହୋଇଥିବା ରୁଷ ସରକାର ଦାବି କରିଥିଲେ । କ୍ଲିନିକାଲ ଟ୍ରାଏଲ ୧୮ ଜୁନରେ ଆରମ୍ଭ ହୋଇଥିଲା । ତେବେ ଋଷ ଟୀକାର ଫାଇନାଲ ଟ୍ରାଏଲ ଏବେ ବି ବାକି ଅଛି । ଋଷ କମ୍ପାନୀ ରିଷ୍ଟେମା କହିଛି, ଚଳିତବର୍ଷ ଶେଷସୁଦ୍ଧା ଟୀକାର ବହୁଳ ଉତ୍ପାଦନ ଆରମ୍ଭ ହେବ । ଏବେ ବିଶ୍ୱର ୧୬୫ଟି ଦେଶ କିମ୍ବା ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଭାରତରେ ସମ୍ଭାବ୍ୟ କରୋନା ଟିକା “କୋଭାକ୍ସିନ’ର ପରୀକ୍ଷଣ ମଧ୍ୟ ଚାଲୁ ରହିଛି ।