ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାରେ ମୁହାଁମୁହିଁ ବିଜେପି-ଟିଏମସି । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ସମନ

161

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ଦୁଇ ଦିନ ହେଲା ଦୋହଲୁଛି ଜାତୀୟ ରାଜନୀତି । ଆକ୍ରମଣ ଘଟଣାରେ ଟିଏମସି ସମ୍ପୃକ୍ତି ଅଭିଯୋଗ କରିବା ପରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ । ସେପଟେ ଆକ୍ରମଣ ଘଟଣାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ୭ଜଣଙ୍କୁ ଗିରଫ କରାଯାଇଛି ।

ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଏହି ଆକ୍ରମଣ ଏବେ ଜାତୀୟ ରାଜନୀତିକୁ ଦୋହଲାଉଛି । ତୃଣମୂଳ କଂଗ୍ରେସ କର୍ମୀ ଏହି ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିବା ପରେ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହି ଘଟଣାରେ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ଜଗଦୀପ ଧନକଡ । ସେପଟେ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୪ତାରିଖରେ ହାଜର ହେବା ପାଇଁ ଉଭୟଙ୍କୁ କୁହାଯାଇଛି । ଏହି ଘଟଣାରେ ଜାତୀୟ ରାଜନୀତି ସରଗରମ ହୋଇଛି । ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ।
ଗୁରୁବାର ଦିନ ନଡାଙ୍କ ରାଲିରେ ହୋଇଥିଲା ଆକ୍ରମଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ କୁହାଯାଉଥିବା ଡାଇମଣ୍ଡ ହାର୍ବରରେ ଆୟୋଜିତ ରାଲିରେ ଯୋଗ ଦେବା ପାଇଁ ନଡ୍ଡା ଯାଉଥିବା ସମୟରେ ବିରୋଧର ସମ୍ମୁଖୀନ ହୋଇଥିଲେ । ଜେପି ନଡ୍ଡାଙ୍କ ଶୋଭାଯାତ୍ରାକୁ ଆକ୍ରମଣ କରିବା ସହ ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ଗାଡିକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ବିଜେପି ନେତା ଉପରେ ଟିଏମସିକର୍ମୀ ଆକ୍ରମଣ କରିଥିବା ଅଭିଯୋଗ ପରେ ଏହାର ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଥିଲା ଗୃହମନ୍ତ୍ରାଳୟ । ଏବେ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛନ୍ତି କେନ୍ଦ୍ର ସରକାର ।

ସେପଟେ ବିଜେପି ବରିଷ୍ଠ ନେତାଙ୍କ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛି ଟିଏମସି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ବିଜେପି ଓ ଟିଏମସି ଭିତରେ ଜୋରଦାର ହୋଇଛି ରାଜନୀତି ।