ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

218

କନକ ବ୍ୟୁରୋ: ଦେଶରେ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ୮୦ ହଜାରରୁ ଅଧିକ ଏବଂ ମୃତ୍ୟୁ ୧ ହଜାର ଟପିଥିବା ବେଳେ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଥିବାରୁ ପରୀକ୍ଷା ବନ୍ଦ କରିବା ନେଇ କିଛି ରାଜ୍ୟ ସରକାର ଓ ବିଭିନ୍ନ ଦଳର ତୁଙ୍ଗ ନେତା ଦାବି କରିଥିଲେ । ବୁଧବାର ଦିନ ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ସିବିଏସଇ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ସିବିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ଦ୍ୱାଦଶ ପରୀକ୍ଷାକୁ ବର୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି ।

ଦେଶରେ ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷା ଦେଇଥାନ୍ତେ ୨୧.୫ ଲକ୍ଷ ଛାତ୍ରଛାତ୍ରୀ । ସେହିପରି ଦ୍ୱାଦଶ ପରୀକ୍ଷା ପାଇଁ ୧୪ ଲକ୍ଷ ଛାତ୍ର/ଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଶିକ୍ଷା ମନ୍ତ୍ରାଳୟର ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ପିଲାଙ୍କ ପାଠପଢ଼ା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପିଲାଙ୍କ ସ୍ୱାସ୍ଥ୍ୟ । ତେବେ ସବୁଠୁ ବଡ଼ କଥା ହେଉଛି ଦଶମ ପରୀକ୍ଷା ବାତିଲ ହୋଇଥିବାରୁ କିପରି ସେମାନଙ୍କ ମୂଲ୍ୟାୟନ ହେବ, ଏ ନେଇ ତର୍ଜମା ଚାଲିଛି ।

କିପରି ହେବ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ?
ମୂଲ୍ୟାୟନ ପାଇଁ ସିବିଏସଇ ପ୍ରସ୍ତୁତ କରିବ ସ୍ୱତନ୍ତ୍ର ମାନଦଣ୍ଡ
ମାନଦଣ୍ଡ ଆଧାରରେ ପ୍ରକାଶ ପାଇବ ପରୀକ୍ଷା ଫଳ
ମାର୍କରେ ଅସନ୍ତୁଷ୍ଟ ଥିଲେ ଆବେଦନ କରିପାରିବେ ଛାତ୍ରଛାତ୍ରୀ
କରୋନା ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ

ଦଶମ ପରୀକ୍ଷା ପାଇଁ ସିବିଏସଇ କି ମାନଦଣ୍ଡ ସ୍ଥିର କରିବ, ତାହା ସ୍ପଷ୍ଟ ହୋଇନାହିଁ । ଏପଟେ ଦ୍ୱାଦଶ ପରୀକ୍ଷାକୁ ବାତିଲ ନକରି ସ୍ଥଗିତ ରଖାଯାଇଛି । ମେ’ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ଲସ୍-ଟୁ ବା ଦ୍ୱାଦଶ ପରୀକ୍ଷାକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଜୁନ ୧ ତାରିଖରେ ଏ ନେଇ ସମୀକ୍ଷା କରାଯିବ । ସମୀକ୍ଷା ପରେ ପରୀକ୍ଷା ହେବ କି ନାହିଁ ନିଷ୍ପତି ନିଆଯିବ । ଯଦି ପରୀକ୍ଷା ହୁଏ, ତେବେ ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏ ନେଇ ଜଣାଇ ଦିଆଯିବ ।

ଦ୍ୱାଦଶ ପରୀକ୍ଷା ସ୍ଥଗିତ
ମେ’ ୪ ତାରିଖରୁ ହେବାକୁ ଥିବା ଦ୍ୱାଦଶ ପରୀକ୍ଷା ସ୍ଥଗିତ
ଜୁନ ୧ ତାରିଖରେ ଏ ନେଇ ସମୀକ୍ଷା କରାଯିବ
ସମୀକ୍ଷା ପରେ ପରୀକ୍ଷା ପାଇଁ ନିଷ୍ପତି ନିଆଯିବ
ପରୀକ୍ଷା ହେଲେ ୧୫ ଦିନ ପୂର୍ବରୁ ଜଣାଇ ଦିଆଯିବ

ପରୀକ୍ଷା ନେଇ ଥିବା ଦ୍ୱନ୍ଦ୍ୱ ସିବିଏସଇ ଦୂର କରିଥିବା ବେଳେ ଓଡ଼ିଶାର ବିଏସଇ ଓ ସିଏଚଏସଇ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଅଧୀନରେ ରାଜ୍ୟର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବେଳେ ସିଏଚଏସଇ ଅଧୀନରେ ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ଲସ-ଟୁ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି ।