ପୁରୀ ଶ୍ରୀ ମନ୍ଦିର ପାଇଁ କେନ୍ଦ୍ର ସରକାର ଆଣିଲେ ବାଇ-ଲ’ । ସବୁଆଡେ ହେଲା ବିରୋଧ । ଜାଣନ୍ତୁ, କଣ କହୁଛି ଏହି ବାଇ-ଲ?

338

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ କେମିତି ବାସଗୃହ ଓ ବ୍ୟବସାୟିକ ଅନୁଷ୍ଠାନ ଘେରି ରହିଛି । ଆଉ ଏଭଳି ସ୍ଥିତିରେ ନ୍ୟାସନାଲ ମନ୍ୟୁମେଂଟ ଅଥରିଟି ବା ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ନୂଆ ବାଇ-ଲ’ ପୁରୀ ପାଇଁ ଚଡକ ଭଳି ପଡିଛି । ବାଇ-ଲ ବା ଉପ ନିୟମ ଜାରି କରିବା ପରେ ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ସେବାୟତ । କୈାଣସି ପରିସ୍ଥିତିରେ ଏଭଳି ନିୟମକୁ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଚେତାବନୀ ଦେଇଛନ୍ତି ।

ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଜାତୀୟ ସ୍ମାରକ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଏଥିରେ ମୁଖ୍ୟ ପ୍ରଶାସକ କହିଛନ୍ତି, ପ୍ରଭୁ ଜଗନ୍ନାଥ, ସେବକ ଏବଂ ଭକ୍ତଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ଏହି ବାଇ-ଲ କୁ ପ୍ରତ୍ୟାହାର କରାଯାଉ । ଯଦି ଜାତୀୟ ସ୍ମାରକ କର୍ତୃପକ୍ଷ ଚାହୁଁଛନ୍ତି ତେବେ ପୁରୀ ଆସି ଆଲୋଚନା କରିପାରନ୍ତି ।

ପୁରୀ ମନ୍ଦିରକୁ ନେଇ ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ଏହା ପ୍ରଥମ ବାଇ-ଲ । ଏଥିରେ କୁହାଯାଇଛି,
୧. ପୁରୀ ମନ୍ଦିରର ସବୁ ଦିଗରେ ୧୦୦ମିଟର ପର୍ଯ୍ୟନ୍ତ ନିଷିଦ୍ଧ କ୍ଷେତ୍ର ରହିବ । ଏହି କ୍ଷେତ୍ରରେ କୈାଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ ।
୨. ପୁରୀ ମନ୍ଦିରର ସବୁ ଦିଗରେ ୧୦୦ମିଟରରୁ ୩୦୦ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ କ୍ଷେତ୍ର ହେବ । ଏଠାରେ କୈାଣସି ନିର୍ମାଣ କିମ୍ବା ମରାମତି ପାଇଁ ସ୍ମାରକ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡିବ ।