ଅଣନିଶ୍ୱାସୀ ହେଉଛି ରାଜଧାନୀ ଦିଲ୍ଲୀ । ଅମ୍ଲଜାନ ଅଭାବକୁ ନେଇ ମୁହାଁମୁହିଁ କେନ୍ଦ୍ର ଓ ଦିଲ୍ଲୀ ସରକାର

260

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ଅଣନିଶ୍ୱାସୀ ହୋଇପଡିଛି ରାଜଧାନୀ ଦିଲ୍ଲୀ । କରୋନା ଆକ୍ରାନ୍ତଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଏହାରି ଭିତରେ ଦିଲ୍ଲୀର ଅନେକ ହସ୍ପିଟାଲରେ ଅମ୍ଲଜାନ ଅଭାବ ରହିଛି । ଅମ୍ଲଜାନ ଅଭାବକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ଦିଲ୍ଲୀକୁ ଚାହିଦା ମୁତାବକ ଅମ୍ଲଜାନ ଯୋଗାଇ ଦିଆଯାଉନଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଅଭିଯୋଗ କରୁଛନ୍ତି ।

ଅପରପକ୍ଷରେ ଅମ୍ଲଜାନ ଯୋଗାଣ ଶୃଙ୍ଖଳକୁ କେଜ୍ରିୱାଲ ସରକାର ଠିକରେ ପରିଚାଳନା କରିପାରୁନାହାନ୍ତି ବୋଲି ପାଲଟା ଅଭିଯୋଗ କରିଛି କେନ୍ଦ୍ର । ଦିଲ୍ଲୀରେ ଅକ୍ସିଜେନ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ସରକାର ଆବଶ୍ୟକ କ୍ରାୟୋଜେନିକ ଟ୍ୟାଙ୍କର ବ୍ୟବସ୍ଥା କରିପାରିନାହାନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ ।

କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଦୈନିକ ୪୮୦ ମେଟ୍ରିକ ଟନ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା କରିଥିବା ବେଳେ ଦିଲ୍ଲୀ କେବଳ ୩୮୦ମେଟ୍ରିକ ଟନ ପାଉଛି ବୋଲି ରାଜ୍ୟ ସରକାର କହିଥିଲେ । ସେପଟେ କେନ୍ଦ୍ର ସରକାର ଯୋଗାଉ ଦେଉଥିବା ଅମ୍ଲଜାନକୁ  କେଜ୍ରିୱାଲ ସରକାର ସଠିକ ରୂପରେ ପରିଚାଳନା କରିପାରୁନଥିବା କହିଥିଲା କେନ୍ଦ୍ର  । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ଦିଲ୍ଲୀ ।