କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ଅଣନିଶ୍ୱାସୀ ହୋଇପଡିଛି ରାଜଧାନୀ ଦିଲ୍ଲୀ । କରୋନା ଆକ୍ରାନ୍ତଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଏହାରି ଭିତରେ ଦିଲ୍ଲୀର ଅନେକ ହସ୍ପିଟାଲରେ ଅମ୍ଲଜାନ ଅଭାବ ରହିଛି । ଅମ୍ଲଜାନ ଅଭାବକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ଦିଲ୍ଲୀକୁ ଚାହିଦା ମୁତାବକ ଅମ୍ଲଜାନ ଯୋଗାଇ ଦିଆଯାଉନଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଅଭିଯୋଗ କରୁଛନ୍ତି ।
ଅପରପକ୍ଷରେ ଅମ୍ଲଜାନ ଯୋଗାଣ ଶୃଙ୍ଖଳକୁ କେଜ୍ରିୱାଲ ସରକାର ଠିକରେ ପରିଚାଳନା କରିପାରୁନାହାନ୍ତି ବୋଲି ପାଲଟା ଅଭିଯୋଗ କରିଛି କେନ୍ଦ୍ର । ଦିଲ୍ଲୀରେ ଅକ୍ସିଜେନ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ସରକାର ଆବଶ୍ୟକ କ୍ରାୟୋଜେନିକ ଟ୍ୟାଙ୍କର ବ୍ୟବସ୍ଥା କରିପାରିନାହାନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ ।
କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଦୈନିକ ୪୮୦ ମେଟ୍ରିକ ଟନ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା କରିଥିବା ବେଳେ ଦିଲ୍ଲୀ କେବଳ ୩୮୦ମେଟ୍ରିକ ଟନ ପାଉଛି ବୋଲି ରାଜ୍ୟ ସରକାର କହିଥିଲେ । ସେପଟେ କେନ୍ଦ୍ର ସରକାର ଯୋଗାଉ ଦେଉଥିବା ଅମ୍ଲଜାନକୁ କେଜ୍ରିୱାଲ ସରକାର ସଠିକ ରୂପରେ ପରିଚାଳନା କରିପାରୁନଥିବା କହିଥିଲା କେନ୍ଦ୍ର । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ଦିଲ୍ଲୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/vlcsnap-2021-04-26-20h56m45s443.png)