ସରକାରୀ ଅଧିକାରୀ ବନାମ ଜନପ୍ରତିନିଧି: ବୁକ୍ ସର୍କୁଲାର ପାଳନ କରୁନାହାନ୍ତି ବାବୁ! ତାଗିଦ କଲେ କେନ୍ଦ୍ର ସରକାର

95

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଚିଠି । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ସଚିବଙ୍କୁ ଚିଠି ଲେଖାଯାଇଛି । ସାଂସଦ ଓ ବିଧାୟକମାନଙ୍କ ପ୍ରତି ଆଚରଣ ଠିକ୍ ରଖିବାକୁ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର । ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ସାଂସଦ ଓ ବିଧାୟକଙ୍କୁ ଯେପରି ଅଫିସରଙ୍କ ଆଚରଣ ଠିକ ରହିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଚିଠରେ କୁହାଯାଇଛି ।

ବିଭିନ୍ନ ସମୟରେ ଜନପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀ ଉପଯୁକ୍ତ ସମ୍ମାନ ଦେଉନଥିବା ଅଭିଯୋଗ ହୋଇ ଆସୁଛି । ସାଂସଦ, ବିଧାୟକଙ୍କ ଚିଠି ଉପରେ କୌଣସି ପଦକ୍ଷେପ ନେଉ ନାହାନ୍ତି । ଏପରି କି ଚିଠିର ଉତର ଦେବାକୁ ଉଚିତ୍ ମଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ । ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର ।

ଜନପ୍ରତିନିଧିଙ୍କ ସହ ସରକାରୀ ଅଧିକାରୀ କିପରି ଆଚରଣ କରିବେ, ଏ ନେଇ ଚିଠିରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର । ନଜର ପକାନ୍ତୁ କ’ଣ କହିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍
ସାଂସଦ ଓ ବିଧାୟକଙ୍କ ଚିଠିର ଉତ୍ତର ଯଥାଶୀଘ୍ର ରଖନ୍ତୁ
ଯଦି ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି, ତେବେ ମନ୍ତ୍ରୀ କିମ୍ବା ସଚିବ ପାହ୍ୟାର ଅଫିସର ଉତ୍ତର ଦିଅନ୍ତୁ
ଚିଠି ପାଇବାର ୧୫ ଦିନ ମଧ୍ୟରେ ପ୍ରାପ୍ତି ସ୍ୱୀକାର ଜଣାନ୍ତୁ
ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଉତ୍ତର ଦିଅନ୍ତୁ
ଟେଲିଫୋନ କଲ୍ ବା ମେସେଜ୍ର ଉତ୍ତର ଦିଅନ୍ତୁ
କୌଣସି ସୂଚନା ଚାହୁଁଥିଲେ ତୁରନ୍ତ ପ୍ରଦାନ କରନ୍ତୁ
ସେମାନଙ୍କ ପରାମର୍ଶ ଶୁଣନ୍ତୁ, କି ପଦକ୍ଷେପ ନେଲେ ଜଣାନ୍ତୁ
ଜନପ୍ରତିନିଧିଙ୍କ ସହ ଉତ୍ତମ ଆଚରଣ କରନ୍ତୁ ଅଧିକାରୀ
ଅଫିସକୁ ଆସୁଥିବା ବିଧାୟକ ଓ ସାଂସଦଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ
ସାଧାରଣ ଉତ୍ସବରେ ଜନପ୍ରତିନିଧିଙ୍କୁ ସମ୍ମାନର ସହ ମଂଚରେ ବସାନ୍ତୁ

ଅନେକ ସମୟରେ ସରକାରୀ ବାବୁ ମାନେ ଜନପ୍ରତିନିଧିଙ୍କୁ ମାନୁନଥିବା ଅଭିଯୋଗ ହୋଇ ଆସୁଛି । ବୁକ୍ ସର୍କୁଲାର-୪୭ରେ ନିୟମ ରହିଛି, ତାକୁ ପାଳନ କରୁନାହାନ୍ତି । ଯାହାକୁ ନେଇ ଅନେକ ସମୟରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଉଦବେଗ ପ୍ରକାଶ କରି ଆସିଛନ୍ତି । କେନ୍ଦ୍ର ସରକାର କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଧାୟକ ଓ ସାଂସଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନଙ୍କ ସହ ଠିକ୍ ଆଚରଣ କରିବାକୁ ତାଗିଦ କରିଛନ୍ତି ।