ଅକ୍ସିଜେନ ଅଭାବଜନିତ ମୃତ୍ୟୁ ନେଇ ସବୁ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର । ତଥ୍ୟ ପ୍ରସ୍ତୁତ କରି ରିପୋର୍ଟ ଦେବାକୁ କହିଲେ ସରକାର 

138

କନକ ବ୍ୟୁରୋ: ଅକ୍ସିଜେନ ଅଭାବରୁ କେତେଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ତଥ୍ୟ ମାଗିଛନ୍ତି କେନ୍ଦ୍ର ସରକାର । ତଥ୍ୟ ମିଳିବା ପରେ, ଚଳିତ ଅଧିବେଶନ ଶେଷ ହେବା ପୂର୍ବରୁ ସେହି ତଥ୍ୟକୁ ସଂସଦରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଚଳିତ ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ । ତେଣୁ ଏହି ସମୟର ଯଥେଷ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି । ଅକ୍ସିଜେନ ଅଭାବରୁ ଦେଶରେ କୌଣସି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନଥିବା ଗତ କିଛି ଦିନ ତଳେ ସଂସଦରେ କହିଥିଲେ କେନ୍ଦ୍ର ସରକାର  ।

ଏହାକୁ ନେଇ ସରକାରକୁ ଘେରିଥିଲେ ବିରୋଧୀ । ଭୁଲ ତଥ୍ୟ ଦେଇଥିବା କହି କଡା ସମାଲୋଚନା କରିଥିଲେ । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ କମିଥିଲେ ବି ଦ୍ୱିତୀୟ ଲହର ଶେଷ ହୋଇନଥିବା କହି ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମଣ ଧିରେ ଧିରେ କମିବା ଓ ଦେଶର ୫୪ଟି ଜିଲ୍ଲାର ଟେଷ୍ଟ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହିବା ମୁଣ୍ଡ ବିନ୍ଧାର କାରଣ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।