କରୋନା ସଂକ୍ରମଣ ନେଇ ୮ଟି ରାଜ୍ୟକୁ କେନ୍ଦ୍ରର ପରାମର୍ଶ । ଓଡିଶାର ୧୦ ଜିଲ୍ଲାକୁ ସଂକ୍ରମଣ ସ୍ଥିତି ନେଇ ସତର୍କ କଲା କେନ୍ଦ୍ର ।

1,526

କନକ ବ୍ୟୁରୋ: ୮ଟି ରାଜ୍ୟର ୬୩ଟି ଜିଲ୍ଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡିକରେ ଟେଷ୍ଟିଂ, କଂଟାକ୍ଟ ଟ୍ରେସିଂ ଓ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସଂପୃକ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି । ଓଡିଶାଟି ୧୦ଟି ଜିଲ୍ଲା ସହ ଆନ୍ଦ୍ରପ୍ରଦେଶ, ହରିୟାଣା, ଗୋଆ, ହିମାଚଳ ପ୍ରଦେଶ, ଉତରାଖଣ୍ଡ ଓ କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀ–ଚଣ୍ଡୀଗଡର କିଛି ଜିଲ୍ଲା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୬୩ଟି ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢିଛି , ଯାହା ନିଶ୍ଚିତ ଭାବେ ଚିନ୍ତାର କାରଣ । ଏହି ସବୁ ଜିଲ୍ଲାରେ ଟେଷ୍ଟିଂ ବି କମିଛି । ତେଣୁ ଏଥିପ୍ରତି ଧ୍ୟାନ ନଦେଲେ ଏହା ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ବ୍ୟାପିବାର ସମ୍ଭାବନା ରହିଛି । ସଂପୃକ୍ତ ଜିଲ୍ଲାଗୁଡିକ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ବି କୁହାଯାଇଛି । ଏଥିରେ ଟେଷ୍ଟିଂକୁ ବଢାଇବା ପାଇଁ କୁହାଯାଇଛି ।

ଟିକାକରଣ ଓ ଟ୍ରେସିଂ ବି ଗୁରୁତ୍ୱ ଦେବାକୁ କୁହାଯାଇଛି । ପଞ୍ଜାବ ଓ ମହାରାଷ୍ଟ୍ରର ଯେଉଁ ଅଂଚଳରେ କରୋନା ଭାଇରସ ବ୍ୟାପୁଚି, ସେହି ଅଂଚଳକୁ ଉଚ୍ଚସ୍ତରୀୟ ଟିମ ପଠାଯାଇଛି । ଏହି ଟିମ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟବିଭାଗକୁ ସହାୟତା କରିବେ । ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ତାଙ୍କ ସଂସ୍ପର୍ଶ ଆସିଥିବା ହାରାହାରି ୨୦ ଜଣଙ୍କୁ ଚିହ୍ନଟ କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହା ଫଳରେ ଏସମସ୍ତଙ୍କ ଟେଷ୍ଟିଂ କରାଯାଇପାରିବ ଏବଂ କେହି ବ୍ୟକ୍ତି ସୁପର ସ୍ପ୍ରେଡର ହେବାରୁ ରୋକାଯାଇପାରିବ । ଯେଉଁ ଜିଲ୍ଲା ଗୁଡିକରେ ସ୍ଥିତି ସଂଗୀନ ଅଛି, ସେଠାରେ ଉପଲବ୍ଧ ଥିବା ଟିକାକୁ ସଠିକ ବ୍ୟବହାର କରିବା ଉପରେ ମଧ୍ୟ ଜୋର ଦିଆଯାଇଛି । ଘରୋଇ ହସ୍ପିଟାଲ ସହ ଯୋଗାଯୋଗ ରକ୍ଷା କରି ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ କରୋନା ସଂକ୍ରମଣ କମିଥିଲେ ବି ଗତ ୨୪ ଘଂଟାରେ ୧୮ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି ।