କରୋନାକୁ ନେଇ କେନ୍ଦ୍ର ବଜାଇଲା ସତର୍କ ଘଣ୍ଟି । ଓଡିଶା ସମେତ ୮ ରାଜ୍ୟକୁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରର ପରାମର୍ଶ ।

2,375

କନକ ବ୍ୟୁରୋ: ଦେଶରେ ସଂକ୍ରମଣ କମୁଥିବା ବେଳେ କେତେକ ରାଜ୍ୟରେ ସଂକ୍ରମଣ ବଢିବା କେନ୍ଦ୍ରର ଚିନ୍ତା ବଢାଇ ଦେଇଛି । ଓଡିଶା ସମେତ ୮ଟି ରାଜ୍ୟରେ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂକ୍ରମଣ ହାର ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । କାହିଁକି ନା, ଓଡିଶାର ୩ଟି ଜିଲ୍ଲାରେ ଜୁନ ୨୮ରୁ ଜୁଲାଇ ୪ ତାରିଖ ଯାଏଁ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିବା ଚିନ୍ତା ବଢାଇ ଦେଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାଲେଶ୍ୱର ଜିଲ୍ଲାରେ ଗତ ସପ୍ତାହରେ କରୋନା ସଂକ୍ରମଣ ହାର ୧୨ ପ୍ରତିଶତ ରହିଥିବା ବେଳେ ସପ୍ତାହକରେ ୧୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ଓ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳରେ ଜୁନ ୨୮ରୁ ଜୁଲାଇ ୪ ତାରିଖ ମଧ୍ୟରେ ୧୧. ୩ ପ୍ରତିଶତ ସଂକ୍ରମଣ ହାର ରହିଛି । ଗତ ସପ୍ତାହରେ ସେଠାରୁ ୪୯୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ଓ ୧୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ତେବେ ସବୁଠୁ ଉଦବେଗଜନକ ଭାବେ ପଜିଟିଭିଟି ରେଟ ବଢିିଛି ନୂଆପଡା ଜିଲ୍ଲାରେ । ଗତ ସପ୍ତାହରେ ସଂକ୍ରମଣ ହାର ୨୭.୪ ପ୍ରତିଶତ ରେକର୍ଡ କରାଯାଇଛି । ଏହି ସମୟ ଅବଧିରେ ୫୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ କାହାର ମୃତ୍ୟୁ ହୋଇ ନାହିଁ ।

ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ପଜିଟିଭିଟି ହାର ରହିଛି ୫.୩୬ ପ୍ରତିଶତ । କିନ୍ତୁ ୩ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ତେଣୁ ସଂକ୍ରମଣ ବ୍ୟାପିଯିବା ଆଗରୁ ସଂକ୍ରମଣକୁ ରୋକିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଓଡିଶାର ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ ସଂକ୍ରମଣ ରୋକିବା ପାଇଁ ପ୍ରାଥମିକତା ଭିତ୍ତିରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି କରୋନା ଟେଷ୍ଟିଂ ବଢାଇବା ସହ ସଂକ୍ରମଣ ଚିହ୍ନଟ ହେଉଥିବା ଅଞ୍ଚଳରେ ଅବରୋଧ ଅଞ୍ଚଳ ଘୋଷଣା କରିବା, ଏବଂ କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ପାଖରେ ମଧ୍ୟ ଟିକାକରଣ କେନ୍ଦ୍ର କରିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ଯେକୌଣସି ପରିସ୍ଥ୍ିତିର ମୁକାବିଲା ପାଇଁ ପ୍ରସ୍ତୁତି ରଖିବାକୁ ପରାମର୍ଶ ଦେଇଛନ୍ତି ।