ଭିନ୍ନକ୍ଷମଙ୍କୁ ଠକିଦେଲା ସିମେଣ୍ଟ କମ୍ପାନୀ: ଗୁଣନିଧି ଦୋରାଙ୍କୁ ସହାୟତା ରାଶି ଦେଇଥିବା ନେଇ ୱେବସାଇଟରେ ମିଥ୍ୟା ତଥ୍ୟ ଅଭିଯୋଗ

99

କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣାରେ ଦୁଇଗୋଡ ହରାଇଥିବା ଭିନ୍ନକ୍ଷମଙ୍କୁ ଠକିଦେଲା ସିମେଂଟ କମ୍ପାନୀ । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଥାନୁଆଳ ଗାଁର ଗୁଣନିଧି ଦୋରାଙ୍କୁ ସହାୟତା ଦେଇଥିବା ନେଇ ୱେବ ସାଇଟରେ ମିଛ ତଥ୍ୟ ରଖିଛି ରାମକୋ ସିମେଂଟ କମ୍ପାନୀ । ପାନ ଦୋକାନ କରି ଚଳୁଥିବା ଗୁଣନିଧିଙ୍କ ପରିବାର କହିଲେ ଆମର ଦୁôଃଖ, ଅସହାୟତାକୁ ଉପହାସ କରିଛି କମ୍ପାନୀ , ସହାୟତା ନଦେଇ କରୁଛି ମିଛ ପ୍ରଚାର । ଉତର ରଖିବାକୁ କମ୍ପାନୀ କର୍ତୃପକ୍ଷ ଆସିଲେ ନାହିଁ କ୍ୟାମେରା ସାମ୍ନାକୁ? ପ୍ରଶ୍ନ ଉଠୁଛି ସହାୟତା ନଦେଇ କାହିଁକି ମିଛ ପ୍ରଚାର କରୁଛି ରାମକୋ ସିମେଂଟ କମ୍ପାନୀ?

ଧର୍ମଶାଳା ବ୍ଲକ ଥାନୁଆଳ ଗାଁର ଗୁଣନିଧି ଦୋରା । ଟ୍ରେନ୍ରେ ପେଡ଼ା ବେପାର କରି ପରିବାର ଚଳାଉଥିଲେ । କିନ୍ତୁ ୨୦୧୯ରେ ଟ୍ରେନ୍ରେ ଚଢ଼ୁଥିବା ବେଳେ ଖସିପଡ଼ି ହରାଇଥିଲେ ଦୁଇ ଗୋଡ଼ । ଯେଉଁ ଗୋଡ଼ରେ ଚାଲି ଚାଲି ବେପାର କରୁଥିଲେ, ହଠାତ୍ ସେହି ଗୋଡ଼ କଟିଯିବା ପରେ ପରିବାର ଉପରେ ପଡ଼ିଥିଲା ଦୁଃଖର ପାହାଡ଼ । ତେବେ ଓଲଟପୁୁରଠାରେ କୁତ୍ରିମ ଗୋଡ଼ ଲଗାଇ ନିଜର ସଂଘର୍ଷମୟ ଜୀବନ ଜାରି ରଖିବା ସହ ଗାଁ ମୁଣ୍ଡରେ ପାନ ଦୋକାନଟିଏ କରି ନିଜ ପରିବାର ଚଳାଇ ଆସୁଛନ୍ତି । ପରେ ନିଜର କୁତ୍ରିମ ଗୋଡ ଲଗାଇବା ପାଇଁ ରାମକୋ ସିମେଂଟକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ । ସହାୟତା ତ ଦିଆଗଲା ନାହିଁ ବରଂ ୱେବସାଇଟରେ କମ୍ପାନୀ ସହାୟତା ଯୋଗାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଗୁଣନିଧି ।

କିଛି ଦିନ ତଳେ ଗୁଣନିଧିଙ୍କ ପୁଅ ଜାଣିବାକୁ ପାଇଲେ ଯେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ରାମକୋ ସିମେଂଟ ଦେଢ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିବା କମ୍ପାନୀର ୱେବସାଇଟରେ ଦର୍ଶାଯାଇଛି । କିନ୍ତୁ ଯେତେବେଳେ ସେ ବ୍ୟାଙ୍କକୁ ଗଲେ, ସେଠାରେ ଜାଣିବାକୁ ପାଇଲେ ଯେ ଟଙ୍କା ଜମା ହୋଇନାହିଁ । ଏ ନେଇ ଯଦିଓ କମ୍ପାନୀର ବରିଷ୍ଠ ଅଧିକାରୀ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ । ଏମିତିକି ୱେବସାଇଟରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ କୌଣସି ସହାୟତା ରାଶି ଅନୁମୋଦନ ହୋଇନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏଠି ପ୍ରଶ୍ନ ଉଠୁଛି, କମ୍ପାନୀ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଛି କି?
– ନିଜ ୱେବସାଇଟରେ କାହିଁକି ମିଥ୍ୟା ତଥ୍ୟ ଦେଲା କମ୍ପାନୀ?
– ଯଦି ସହାୟତା ରାଶି ଅନୁମୋଦନ ହୋଇନାହିଁ, ତାହେଲେ କାହିଁକି ମିଥ୍ୟା ପ୍ରଚାର କରାଗଲା?