ଭୁବନେଶ୍ବରରେ ଶୂନ୍ୟଛାୟା ଦିବସ : ୪ ମିନିଟ୍ ପର୍ଯ୍ୟନ୍ତ ଛାଇ ଉଭାନ୍, ଆଜି କଟକରେ ପୂର୍ବାହ୍ନ ୧୧ଟା ୪୩ରେ ଦେଖାଦେବ

472

କନକ ବ୍ୟୁରୋ : କଥାରେ ଅଛି ଛାୟା ବା ଛାଇ କେବେ ପିଛା ଛାଡ଼େନା । କିନ୍ତୁ ଗତକାଲି ପାଖାପାଖି ୪ ମିନିଟ୍‌ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କ ଛାୟା ଦେଖିବାକୁ ମିଳି ନଥିଲା । ପୂର୍ବାହ୍ନ ପ୍ରାୟ ୧୧ଟା ୪୩ ମିନିଟ୍‌ରେ ରାଜଧାନୀରେ କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ଛାୟା ପ୍ରତୀୟମାନ ହୋଇନଥିଲା । ଏପରି ଅବସ୍ଥାକୁ ‘ଶୂନ୍ୟଛାୟା’ ଦିବସ କୁହାଯାଏ। ତେବେ ୧୧ଟା ୪୭ ମିନିଟ୍‌ ବେଳକୁ ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ ହେବା ପରେ ଧୀରେଧୀରେ ବସ୍ତୁର ଛାୟା ଲମ୍ବା ହୋଇ ଦେଖିବାକୁ ମିଳିଥିଲା । ଏ ନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ଅନ୍‌ଲାଇନ୍‌ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଅନେକଗୁଡ଼ିଏ ଚାରିକୋଣିଆ ବାକ୍ସ, ଖୁଣ୍ଟ, ପାଇପ୍ ଆଦି ଖରାରେ ରଖା ଯାଇଥିଲା । ଛାତ୍ରଛାତ୍ରୀମାନେ ଘରେ ରହି ଏହି ଦୃଶ୍ୟ ଉପଭୋଗ କରିଥିଲେ । ତେବେ ଆଜି କଟକରେ ପୂର୍ବାହ୍ନ ୧୧ଟା ୪୩ରେ ‘ଶୂନ୍ୟଛାୟା’ ହେବ ।

ଏ ସଂପର୍କରେ ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ସୂର୍ଯ୍ୟ ଯେତେବେଳେ ମକର କ୍ରାନ୍ତି ଉପରେ ଗତି କରିଥାଏ, ସେହି ଅଞ୍ଚଳଗୁଡ଼ିକରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ସିଧାସଳଖ ମୁଣ୍ଡ ଉପରେ ରହିଥାଏ । ଯେଉଁଥିପାଇଁ ‘ଶୂନ୍ୟଛାୟା’ ଘଟିଥାଏ । ତେବେ ଶୂ୍ନ୍ୟଛାୟା ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ରହିଥିବା ଅଞ୍ଚଳରେ ହିଁ ଘଟିଥାଏ। ଏହା ବାହାରେ ଶୂନ୍ୟଛାୟା ପ୍ରତୀୟମାନ ହୁଏ ନାହିଁ । ସେହିଭଳି ଆସନ୍ତା ଜୁଲାଇ ୨୨ରେ ମଧ୍ୟ ପୁନର୍ବାର ଭୁବନେଶ୍ବରରେ ଶୂନ୍ୟଛାୟା ଦେଖାଯିବ। ମାତ୍ର ବର୍ଷା ପାଗ ଯୋଗୁଁ ଏହା ଅନୁଭୂତ ହୋଇ ନପାରେ ବୋଲି ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।