କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଅପରାଧ ବଢିବା କମିଶନରେଟ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ଅପରାଧ ଘଟାଇ ବେଫିକର ଗାଡି ଧରି ଫେରାର ହୋଇଯାଉଛନ୍ତି ଅପରାଧୀ । ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ନାକେଦମ ହେଉଛି । ଭିନ୍ନ ଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ମଗାଇ ଅପରାଧୀକୁ ଧରିବା ପାଇଁ ଲାଗି ଯାଉଛି ଅନେକ ଦିନ । ଏହାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛ ସିସିଟିଭିି ସହଭାଗିତା ଯୋଜନା । ଏହି ଯୋଜନା ମାଧ୍ୟମରେ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନରେ ଲାଗିଥିବା ସିସିଟିଭିର ଆକ୍ସେସ ନେବ କମିଶନରେଟ ପୋଲିସ ।

Advertisment

ଏହି ଯୋଜନାରେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ଯଥା ସପିଂ ମଲ୍,ସୁନା ଦୋକାନ,ମାର୍କେଟ କମ୍ପେ୍ଲକ୍ସ,ହୋଟେଲ,ରେଷ୍ଟୁରାଂଟ,ବିଭିନ୍ନ ବଡ ଦୋକାନ ସମେତ ବ୍ୟାଙ୍କ ଆପାର୍ଟମେଂଟ ଇତ୍ୟାଦି ଯୋଡିହେବେ କମିଶନରେଟ ପୋଲିସ ସହ । ଏହିସବୁ ଅନୁଷ୍ଠାନ ମାନଙ୍କ ଦ୍ୱାରା -ସିସିଟିଭିର ସେର୍ଭଲାନ୍ସରେ ରହିବ ରାଜଧାନୀ ଭୁବନେଶ୍ୱର । - ରାସ୍ତା ଆଡକୁ ମୁହାଁଇଥିବା ସିସିଟିଭିର ଆକ୍ସେସ ନେବ କମିଶନରେଟ ପୋଲିସ । -ଏହିସବୁ ଅନୁଷ୍ଠାନରେ ଲାଗିଥିବା ସିସିଟିଭିରୁ ଗୋଟିଏ ସିସିଟିଭି ରାସ୍ତା ମୁହାଁ ରଖିବାକୁ ଅନୁରୋଧ କରାଯାଇଛି । -ରାସ୍ତା ମୁହାଁ ସିସିଟିଭିର ଆଇ.ପି ଆଡ୍ରେସ ପୋଲିସ କଂଟ୍ରୋଲ ରୁମ ସହ ସେୟାର କରିବେ ଅନୁଷ୍ଠାନ ମାଲିକ ଯାହା ଫଳରେ । -ରାସ୍ତାମୁହାଁ ସିସିଟିଭିର ସିଧା ଆକ୍ସେସ ପାଇବ କମିଶନେଟ ପୋଲିସ । ଅପରାଧ ଘଟାଇ ଫରୋର ହେଉଥିବା ଦୁର୍ବୁତଙ୍କ ଉପରେ ସିଧାସଳଖ ନଜର ରଖିବାକୁ ହେବ ସୁବିଧା ।

କମିଶନରେଟ ପୋଲିସର ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ମାଲିକ । ଏହି ଯୋଜନା ଦ୍ୱାରା ଲୋକମାନେ ଅନେକ ଉପକୃତ ହେବେ ବୋଲି ମତ ପ୍ରକାଶ କରିଛନ୍ତି ବ୍ୟବସାୟୀ ।
ଏହି ଯୋଜନାରେ ସ୍ୱତପ୍ରବୃତ ଭାବେ ସାମିଲ ହେବା ପାଇଁ ଏହି ସମସ୍ତ ଅନୁଷ୍ଠାନର ମାଲିକ ମାନଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ନିଜକୁ ଏଥିରେ ସାମିଲ କରିବା ପାଇଁ ନିକଟସ୍ଥ ଥାନାକୁ ଯାଇ ଆଇ.ପି ଆଡ୍ରେସ ଦେବାପାଇଁ କୁହାଯାଇଛି । ଏଥିସହ ଏହି ଯୋଜନା ପାଇଁ ୯୪୩୯୨୨୪୪୪୧ ରେ ମଧ୍ୟ ଯୋଗାଯୋଗ କରିପାରିବେ । ଅପରାଧ ରୋକିବା ଓ ଅପରାଧୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି । ଏହି ସହଭାଗିତା ଯୋଜନା କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।