ସୁଶାନ୍ତ ସିଂ ରାଜପୁତ୍ ମାମଲାର ସତ ଖୋଜିବ ସିବିଆଇ : ତଦନ୍ତ ପାଇଁ ଗଠନ ହେଲା ୪ ଜଣିଆ ଏସଟିଏଫ୍ ଟିମ୍; ସେପଟେ ତଦନ୍ତ ରିପୋର୍ଟ ଦେବାକୁ ମୁମ୍ୱାଇ ପୋଲିସକୁ ଚିଠି ଲେଖିବ ସିବିଆଇ

205

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମାମଲାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ତଦନ୍ତ ପାଇଁ ଗଠନ ହେଲା ଏସଟିଏଫ୍ । ସିବିଆଇର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ରେ ସ୍ଥାନ ପାଇଛନ୍ତି ୪ ଜଣ ଅଧିକାରୀ । ଯୁଗ୍ମ ନିର୍ଦ୍ଦେଶକଙ୍କ ବାଦ୍ ଏଥିରେ ୩ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ଏହି ମାମଲାରେ ବିହାରରେ ଦାଏର ହୋଇଥିବା ଏତଲାକୁ ସଠିକ୍ ଓ ଗ୍ରହଣୀୟ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଆଗରୁ ଏହି ମାମଲାର ତଦନ୍ତ ପାଇଁ ସଜାଗ ହୋଇ ରହିଥିଲା ସିବିଆଇ । ସୁପ୍ରିମକୋର୍ଟରୁ ନିର୍ଦ୍ଦେଶ ମିଳିବା ପରେ ପରେ ଏସଟିଏଫ୍ ଗଠନ କରିଦିଆଯାଇଛି । ଏହି ଏସଟିଏଫର ନେତୃତ୍ୱ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର କରିବେ ।

ଏହା ବାଦ୍ ଏସଟିଏଫ୍ ଟିମରେ ଗଗନଦୀପ ଗମ୍ଭୀର, ଏସପି ନୁପୁର ପ୍ରସାଦ ଏବଂ ଅତିରିକ୍ତ ଏସପି ଅନୀଲ ଯାଦବ ସଦସ୍ୟ ରହିବେ । ସିବିଆଇର ଯାଂଚ ବିହାର ପୋଲିସ କରିଥିବା ଏଫଆଇଆର ଉପରେ ହିଁ ଆଧାରରେ ରହିବ । ଯେଉଁଥିରେ ଆତ୍ମହତ୍ୟା ପାଇଁ ଉସୁକାଇବା, ଠକେଇ ଏବଂ ଷଡଯନ୍ତ୍ର କରିବା ଘଟଣାର ତଦନ୍ତ କରାଯିବ । ବିହାର ପୋଲିସର ଏଫଆଇଆରରେ ଆଇପିସି ୩୪୧, ୩୪୮, ୩୮୦, ୪୦୬, ୪୨୦, ୩୦୬ ଏବଂ ୧୨୦ ସାମିଲ ରହିଛି । ସିବିଆଇ ଏସଟିଏଫ୍ ଖୁବଶୀଘ୍ର ମୁମ୍ୱାଇ ପୋଲିସକୁ ପତ୍ର ଲେଖିବ ।

ମାମଲାର କେସ୍ ଡାଏରୀ, କ୍ରାଇମସିନ୍ ର ଫଟୋଗ୍ରାଫ୍, ପଂଚନାମା ରିପୋର୍ଟ, ଶବ ବ୍ୟବଛେଦ ରିପୋର୍ଟ, ମୁମ୍ୱାଇ ପୋଲିସ କରିଥିବା ଫରେନସିକ୍ ରିପୋର୍ଟ ପ୍ରଭୃତି ତୁରନ୍ତ ପଠାଇବାକୁ କହିବ ଏସଟିଏଫ୍ । ଏହା ବାଦ୍ ସିବିଆଇ ଟିମ୍ ମୁମ୍ୱାଇର ବାନ୍ଦ୍ରାରେ ଥିବା ସୁଶାନ୍ତ ସିଂ ରାଜପୁତଙ୍କ ଘରର ମଧ୍ୟ ଅନୁଧ୍ୟାନ କରିବ । ଯେଉଁ ଘରେ ପଂଖାରେ ଶବ ଝୁଲୁଥିଲା ବୋଲି କୁହାଯାଇଛି ସେହିଘରକୁ ଦେଖିବ । ଏହି ସମୟରେ ଫରେନସିକ୍ ଟିମ୍ ମଧ୍ୟ ସିବିଆଇ ଏସଟିଏଫ୍ ସହିତ ସାମିଲ ହେବ । ଏହି ଘଟଣାରେ ଘଟଣାସ୍ଥଳରେ ଥିବା ଲୋକଙ୍କ ବୟାନ ପୁଣି ଥରେ ନିଆଯିବ । ଘଟଣାରେ ରିୟା ଚକ୍ରବର୍ତି ଓ ତାଙ୍କ ପରିବାର ସହିତ ପୁଣି ଥରେ ଜେରା କରିବ ସିବିଆଇ ଏସଟିଏଫ୍ । ଗତ ଜୁନ୍ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ର ଶବ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ବୋଲି କୁହାଯାଇଥିଲା । ସେହି ଦିନଠାରୁ ଏହା ହତ୍ୟା କି ଆତ୍ମହତ୍ୟା ସନ୍ଦେହ ପ୍ରକାଶ ପାଇଛି ।