ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ପଶିଲା ସିବିଆଇ । ସି-ସୋର ମାମଲାରେ ଖୋଳତାଡ଼, ଦେବୀ କହିଲେ, କାଗଜ ମାଗିଲେ ତଦନ୍ତକାରୀ ଅଧିକାରୀ : କଂଗ୍ରେସ କହିଲା, ଉପ-ନିର୍ବାଚନ ଆସୁଥିବାରୁ ସକ୍ରିୟ ହେଲା ସିବିଆଇ

292

କନକ ବ୍ୟୁରୋ : ସିସୋର ସମେତ ୪୪ଟି ଚିଟଫଣ୍ଡ କଂପାନୀ କୋଟି କୋଟି ଠକିନେବା ଅଭିଯୋଗରେ ୨୦୧୪ରୁ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା ସିବିଆଇ । ଏହାରି ଭିତରେ ଅନେକ ବର୍ଷ ବିତି ଯାଇଥିଲେ ବି ତଦନ୍ତ କେଉଁଠି ପହଁଚିଛି, ତା’ର ହିସାବ କାହା ପାଖରେ ନାହିଁ । ବଡ଼ ସ୍କାମ, ହେଲେ ସିବିଆଇ ତଦନ୍ତ ମନ୍ଥର ଗତିରେ ଚାଲିଛି ।

ନଜର ପକାନ୍ତୁ ‘ସିବିଆଇ’ର ସିସୋର ତଦନ୍ତ ଉପରେ –

ମେ’ ୨୦୧୪ – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ତଦନ୍ତ ହାତକୁ ନେଲା ସିବିଆଇ
ନଭେମ୍ବର ୨୦୧୪ – ମଧ୍ୟସ୍ଥ ଶୁଭଙ୍କର ନାୟକ ଗିରଫ
ଜାନୁୟାରୀ ୨୦୧୫ – ସିସୋର ସିକ୍ୟୁରିଟିଜ୍ ନିର୍ଦ୍ଦେଶକ ପ୍ରଭାତ ଦାଶ ଗିରଫ
ଅଗଷ୍ଟ ୨୦୧୬ – ଦେବୀପ୍ରସାଦ ମିଶ୍ରଙ୍କ କର୍ମଚାରୀ ଦିଲୀପ ମିଶ୍ର ଓ ସହଯୋଗୀ ପ୍ରଫୁଲ୍ଲ ସିଂହଙ୍କୁ ପଚରାଉଚରା
ଜାନୁୟାରୀ ୨୦୧୭ – ୩୬ ସ୍ଥାନରେ ସିବିଆଇ ଚଢ଼ାଉ, ସିବିଆଇ ସ୍କାନରରେ ବିଜେଡି ସାଂସଦ, ବିଧାୟକ
ସେପ୍ଟେମ୍ବର ୨୦୧୭ – ତକ୍ରାଳୀନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ
୨୦୧୪-୨୦୧୬ – ଶୁଭଙ୍କର ଡାଏରୀ ଆଧାରରେ ୪ ଆଇପିଏସ ଅଧିକାରୀଙ୍କୁ ପଚରାଉଚରା
ଜୁନ ୨୦୨୦ – ଶୁଭଙ୍କରଙ୍କୁ ପଚରାଉଚରା

କନକ ବ୍ୟୁରୋ : ଉପନିର୍ବାଚନ ଆସିଲା, ସିବିଆଇ ଫେରିଲା!
ସିସୋର ତଦନ୍ତ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଅନେକ ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି ସିବିଆଇ । କଟକ ମହାନଦୀ ଏବଂ ଅଟ୍ରିରେ ସି-ସୋରକୁ ବୋଟିଂ ପାର୍କ ଦେବା ନେଇ ଖୋଳତାଡ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଏ ନେଇ ପଚରାଉଚରା କରାଯାଇଛି । ତେବେ ଅଭିଯୋଗ ହେଉଛି, ଯେତିକି ବେଳେ ନିର୍ବାଚନ ଆସୁଛି, ସେତିକି ବେଳେ ସିବିଆଇ ସକ୍ରିୟ ହୋଇ ଉଠୁଛି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ଏପରି ହୋଇଥିବା ଅଭିଯୋଗ ହେଉଛି ।
ସିବିଆଇ ଚଢାଉର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀ ପତି କହିଛନ୍ତି, ବିଜେଡିରେ ଜାଣତରେ ସିବିଆଇ ଚଢାଉ କରିଛି । ଉପନିର୍ବାଚନ ଆସିଥିବାରୁ ଲୋକଙ୍କୁ ଝଲକ ଦେଖାଇବାକୁ ସିବିଆଇ ରେଡ କରିଛି । ସେପଟେ ବିଜେପି କହିଛି ଉପନିର୍ବାଚନ ସହ ଏହାର କିଛି ସଂପର୍କ ନାହିଁ ।  ସିବିଆଇ ତଦନ୍ତକୁ କଂଗ୍ରେସ ରାଜନୈତିକ ରଙ୍ଗ ଦେଉଥିବା ବେଳେ ବିଜେଡି ଏ ନେଇ ନିରବ ରହିବାକୁ ଉଚିତ ମନେ କରିଛି । ସେପଟେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଏହା ରେଡ୍ ନଥିଲା ଏବଂ ସିବିଆଇର ଚିଟଫଣ୍ଡ ତଦନ୍ତରେ ସହଯୋଗ କରି ଆସୁଛନ୍ତି ।