ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ଘରେ ସିବିଆଇ । କୋଇଲା ଦୁର୍ନୀତି ମାମଲାରେ ଅଭିଶେକଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇର ପଚରାଉଚରା ।

112

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ କୋଇଲା ଦୁର୍ନୀତିକୁ ଜୋର ଧରିଛି ରାଜନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଶେକ ବାନାର୍ଜିଙ୍କ ପତ୍ନୀ ରୁଜିରା ବାନାର୍ଜିଙ୍କୁ ପଚରାଉଚରା କରିଛି ସିବିଆଇ । ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଏବେ କୋଇଲା ଦୁର୍ନୀତିକୁ ନେଇ ସରଗରମ ହୋଇଛି । ଏହି ମାମଲାରେ ଛନ୍ଦି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଶେକ ବାନାର୍ଜିଙ୍କ ପତ୍ନୀଙ୍କୁ ସିବିଆଇ ଟିମ ପଚରାଉଚରା କରିଛି ।

ତୃଣମୂଳ ସାଂସଦ ଅଭିଶେକ ବାନାର୍ଜିଙ୍କ ଘରେ ପହଂଚି ପ୍ରାୟ ୧ଘଂଟା ଧରି ରୁଜିରାଙ୍କୁ ପଚରାଉଚରା କରିଛି ସିବିଆଇର ୮ଜଣିଆ ଟିମ । ଏସପି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଏହି ଟିମରେ ୨ଜଣ ମହିଳା ଅଧିକାରୀ ମଧ୍ୟ ରହିଛନ୍ତି । କୋଇଲା ମାଫିଆ ଅନୁପ ମାଂଝୀଙ୍କ ସହ ରୁଜିରାଙ୍କ ସମ୍ପର୍କ ଏବଂ ତାଙ୍କ ବ୍ୟାଙ୍କ ଆକାଉଂଟର ନେଣଦେଣ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି ।

ସିବିଆଇ ଟିମ କୋଲକାତା ସ୍ଥିତ ହରିଶ ମୁଖାର୍ଜି ରୋଡ ସ୍ଥିତ ଘରେ ପହଂଚିବା ପୂର୍ବରୁ ମମତା ବାନାର୍ଜି ସେଠାରେ ପହଂଚିଯାଇଥିଲେ । ତାଙ୍କ ଘରକୁ ଯାଇ ଅଭିଶେକ ଓ ତାଙ୍କ ପତ୍ନୀ ରୁଜିରାଙ୍କ ସହ ୧୦ମିନିଟ ଆଲୋଚନା କରିଥିଲେ । ଏହାଦ୍ୱାରା ମମତା ସୂଚାଇ ଦେଇଥିଲେ ଯେ ସେ ଏହି ମାମଲାରେ ତାଙ୍କ ପରିବାରଙ୍କ ସହ ଅଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଆକ୍ରମଣ ସେତିକି ବଢିବାରେ ଲାଗିଛି ।

କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ଶୁକ୍ରବାର ପଶ୍ଚିମବଙ୍ଗର ପୁରୁଲିଆ, ବଙ୍ଗୁରା, ପଶ୍ଚିମ ବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ଚଢାଉ କରିଥିଲା । କୋଇଲା ଚାଲାଣର କିଙ୍ଗପିନ ଅନୁପ ମାଂଝୀଙ୍କ ସହ ରୁଜିରା ବାନାର୍ଜିଙ୍କ ସମ୍ପର୍କ ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ପଚରାଉଚରା କରିଛି ପୋଲିସ ।