କନକ ବ୍ୟୁରୋ: କୃଷକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି ଅଚଳ ଉଠା ଜଳସେଚନ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀର ଜୟପୁର କେନାଲରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ଏଥିପାଇଁ ଶହ ଶହ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଥିବା ବେଳେ ଏବେ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।

Advertisment

ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ ମୁଣ୍ଡଳୀ ନିକଟରେ ଥିବା ପୁରୀ କେନାଲ । ଚାଷୀଙ୍କ ସୁବିଧା ପାଇଁ ୧୯୫୫ ମସିହାରେ ଏହି କେନାଲ ଉପରେ ଆଉ ଏକ ଶାଖା ଜୟପୁର କେନାଲ ନାମରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ଚାଷରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହୋଇପାରିଥିଲେ । ଧୀରେ ଧୀରେ ଏହି ଜୟପୁର ପ୍ରକଳ୍ପଟିର କ୍ଷମତା କମିଆସିଥିବା ବେଳେ ୨୦୦୬ ମସିହାରେ ଏହା ସଂପ୍ରୂ୍ଣ୍ଣ ବନ୍ଦ ହୋଇଯାଇଥିଲା । ଆଉ ସେବେଠାରୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ କେହି ଆଗ୍ରହ ପ୍ରକାଶ କଲେ ନାହିଁ । ଫଳରେ ବର୍ଷ ବର୍ଷ ଧରି ଏହି ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିରହିଲା । ଆଉ ଚାଷୀ ସେମାନଙ୍କର ଗୁଜୁରାଣ ହରାଇଥିଲେ । ଏବେ ବିପର୍ଯ୍ୟସ୍ଥ ହୋଇ ପଡ଼ିଥିବା ପମ୍ପ ହାଉସକୁ ନୂତନ ଭାବରେ ନିର୍ମାଣ କରିବା ସହ ଏହି ଉଠା ଜଳସେଚନ ପ୍ରକଳ୍ପକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଜୋରଦାର ଦାବି ଆରମ୍ଭ କରିଛନ୍ତି ସ୍ଥାନୀୟ ଚାଷୀ ।