ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ ସାଲେପୁର ଜେଏମଏଫସି କୋର୍ଟ ।

97

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବଢିଲା ଅଡୁଆ । ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ହତ୍ୟା ଷଡଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରତାପ ଜେନା ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।

  • ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ
  • ବିଧାୟକଙ୍କ ନାଁରେ ଜାରି ରହିବ ମାମଲା
  • ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଚିନ୍ତା ବଢ଼ାଇ ଦେଇଛି ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ । ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର, ଧମକ୍ ଦେଇଥିବା ଦଫାରେ ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତାପ ଜେନା ବିଧାୟକ ଥିବାରୁ ମାମଲା ଭୁବନେଶ୍ୱର ସ୍ପେଶାଲ୍ କୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୩୦୨, ୫୦୬, ୧୨୦ (ବି) ଦଫାରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁୟାରୀରେ ପ୍ରତାପ ଜେନାଙ୍କ ନାଁରେ ଚୂଡ଼ାନ୍ତ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ୍ ପାଇଁ କୋର୍ଟ ଅନୁମତି ଦେଇଥିଲେ । ଏତଲାରେ ପ୍ରତାପଙ୍କ ନାଁ ଅଭିଯୋଗ ଥିବା ସତ୍ତେ୍ୱ ତାଙ୍କ ନାଁକୁ କାଟି ଦିଆଯାଇଥିଲା । ଯାହାକୁ ନେଇ ବିରୋଧ କରାଯାଇଥିଲା ।

ଜାନୁୟାରୀ ୨୦୨୧ରେ ମାହାଙ୍ଗାରେ ଘଟିଥିଲା ଡବଲ୍ ମର୍ଡର । ଏହି ଘଟଣାରେ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏଥିରୁ ୯ ଜଣ ଗିରଫ ହୋଇଥିଲେ । ଏତଲା ଅନୁସାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା । ତେବେ ପରବର୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଯାଇଥିଲା ।