କନକ ବ୍ୟୁରୋ : ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଲା ମଦଭାଟିରୁ ଜବତ ଟଙ୍କା ମାମଲା । ଆୟକର ବିଭାଗ ରେଡ୍ କରି ବ୍ୟବସାୟୀ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ୩୫୪ କୋଟି ଟଙ୍କା ଜବତ କରିଛି । ଆଉ ଏହାପରେ ତାଙ୍କ ବିରୋଧରେ ଝାଡଖଣ୍ଡ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜାମସେଦପୁରର ଡାନିଏଲ ନାମକ ବ୍ୟକ୍ତି ଏହି ପିଆଇଏଲ ଦାଖଲ କରିଛି । ସିବିଆଇ, ଇଡି ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ଦାବି ହୋଇଛି । ଏଥିସହ ତାଙ୍କ ରାଜ୍ୟସଭା ପଦକୁ ରଦ୍ଦ କରିବାକୁ ଦାବି ହୋଇଛି ।
ଆବେଦନରେ କୁହାଯାଇଛି ଯେ ଜବତ ହୋଇଥିବା ଟଙ୍କା ମହାଦେବ ଆପରୁ ଉପାର୍ଜିତ ହୋଇଥିଲା । ଏହି ଟଙ୍କା ଆଗାମୀ ଦିନରେ ଓଡିଶା, ଝାଡଖଣ୍ଡ ଏବଂ ଛତିଶଗଡରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଖର୍ଚ୍ଚା ହୋଇଥାନ୍ତା । ଧୀରଜଙ୍କ ପରିବାର ଦୀର୍ଘ ୧୦୦ ବର୍ଷ ଧରି ମଦ ବ୍ୟବସାୟରେ ଲିପ୍ତ ଅଛନ୍ତି । କଂଗ୍ରେସ ରାଜନୀତିରେ ତାଙ୍କ ପରିବାର ଦୀର୍ଘ ବର୍ଷ ହେବ ରହିଛି । ଆୟକର ବିଭାଗ ବିପୁଳ ପରିମାଣରେ ଟଙ୍କା ଜବତ କରିଛି । ତେଣୁ ଏହି ଟଙ୍କାର ଉତ୍ସ କଣ ଏବେ ବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ରାଜନୀତି ସକ୍ରିୟ ରହିଛି । ନିକଟରେ ଆଇଟି ବିଭାଗ ଏବଂ ଇଡି ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେଣୁ ଏହି ମାମଲାରେ ଇଡି ମଧ୍ୟ ଏଣ୍ଟ୍ରି କରି ଖୋଳତାଡ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ଧୀରଜଙ୍କ ଝାଡଖଣ୍ଡ ବାସଭବନରେ ଅନେକ ଟଙ୍କା, ସୁନା ଗହଣା ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି । ତେଣୁ ସେହି ଠିକଣାରେ ମଧ୍ୟ ରେଡ୍ ଚାଲିଛି ।