ହାଇଦର ଫେରାର ମାମଲା, ଷଡଯନ୍ତ୍ରର ନୂଆ ଗୁମର । ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ଓ ଜେଲ୍ ୱାର୍ଡରଙ୍କୁ ବାନ୍ଧିଲା କମିସନରେଟ ପୁଲିସ 

497

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଫେରାର ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା କମିସନରେଟ ପୁଲିସ । କର୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ କନଷ୍ଟେବଳ ଓ ଜଣେ ଜେଲ ୱାର୍ଡରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ମଙ୍ଗଳବାଗ ଥାନା ପୁଲିସ । ଏସସିବିରେ ହାଇଦର ଚିକିତ୍ସା ଚାଲିଥିବା ସମୟରେ ମହମ୍ମଦ ମୌସିମ ଓ ଶିବନାରାୟଣ ହାଇଦରର ସୁରକ୍ଷାରେ ଜାଣିଶୁଣି ଅବହେଳା କରିଛନ୍ତି । ଏପରିକି ଶିବନାରାୟଣଙ୍କ ମୋବାଇଲରୁ ହାଇଦର କଲ କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସୁରକ୍ଷାକର୍ମୀଙ୍କ ଅନୁକମ୍ପା ଓ ଢିଲା ପହରା ଯୋଗୁଁ ହାଇଦର ଫେରାର ପାଇଁ ଯୋଜନା କରି ଚମ୍ପଟ ମାରିଥିଲା ବୋଲି କହିଛନ୍ତି କଟକ ଡିସିପି ।

ସେପଟେ କଟକ ମଙ୍ଗଳବାଗ ଥାନାର ଏକ ଟିମ ସମ୍ବଲପୁର ମଣ୍ଡଳ କାରାଗରରେ ପହଂଚି ତଦନ୍ତ କରିଛି । ହାଇଦରର ଚିକିତ୍ସା ସଂପର୍କରେ ଓ କଟକ ସ୍ଥାନାନ୍ତର ନେଇ ପୁଲିସ ଟିମ୍ ସୂଚନା ସଂଗ୍ରହ କରିିଛି । ସେପଟେ ଏପ୍ରିଲ ୧୦ରେ ହାଇଦର ଫେରାର ପରେ ଅଚେତ ଅବସ୍ଥାରେ ସର୍ଜରୀ ୱାର୍ଡରୁ ଉଦ୍ଧାର ହୋଇଥିଲା କନେଷ୍ଟବଳ ମୌସିମ । ହାଇଦର ନିଶା ଦେଇ ଫେରାର ହୋଇଥିବା ସେହି ସମୟରେ ମୌସିମ କହିଥିଲା । ଏବେ ଚର୍ଚ୍ଚା ହେଉଛି, ଗ୍ୟାଙ୍ଗଷ୍ଟର ଫେରାର ହେବା ଖବର ଆଗରୁ କନେଷ୍ଟବଳ ଜାଣିଥିଲା । ତେଣୁ ନିଶା ଦେଇ ହାଇଦର ଖସିଯିବା ଘଟଣା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ସେକ୍ ହାଇଦର ଏସସିବି ମେଡିକାଲରୁ ଖସିଯିବା ପରେ ତାକୁ ତେଲେଙ୍ଗାନରୁ ଏପ୍ରିଲ ୧୬ ତାରିଖରେ ଗିରଫ କରାଯାଇଛି । ହେଲେ ହାଇଦର କେମିତି, କେଉଁମାନଙ୍କ ସହାୟତାରେ ଖସିଗଲା, ଏହି ଷଡଯନ୍ତ୍ରରେ ଆଉ କେଉଁମାନେ ସାମିଲ ଏହା ଏବେ ବି ଅନ୍ଧାରରେ ରହିଛି ।