କନକ ବ୍ୟୁରୋ : ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ସହର ଡ୍ରିମସିଟି ଭୁବନେଶ୍ବରରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବା ଲୋକଙ୍କ କାହାଣୀ। ଦିନରେ କାମ କରୁଛନ୍ତି, ଆଉ ରାତିରେ ଫୁଟପାଥରେ ଶୋଉଛନ୍ତି । ଆଉ ଭାଗ୍ୟକୁ ଆଦରି ବର୍ଷାରେ ଏମାନେ ଭୁବନେଶ୍ବରର ରାଜରାସ୍ତା, ଫ୍ଲାଏଓଭର ତଳେ ଆଶ୍ରୟ ନେଉଛନ୍ତି ।  ଆଉ ରାଜଧାନୀର ବର୍ଷା ଭିଜା ରାତିରେ ସ୍ଥିତି ପରଖିଛି କନକ ନ୍ୟୁଜ। ଖରା, ବର୍ଷା. ଶୀତ କାକରଙ୍କୁ ଏମାନଙ୍କ ଖାତିର ନାହିଁ । ହାଡଭଙ୍ଗା ପରିଶ୍ରମ ପରେ ରାତିରେ ବାହାରେ ଏମାନେ ଆଶ୍ରୟ ନେଉଛନ୍ତି ।

Advertisment

ପେଟପାଟଣା ପାଇଁ କାହିଁ କେତେ ଦୂରରୁ ଏମାନେ ରାଜଧାନୀକୁ ଧାଇଁ ଆସିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିବା ଲୋକଙ୍କ ଆଶ୍ରୟ ପାଇଁ ଭୁବନେଶ୍ବର ମହାନଗର ନିଗମ ଆଶ୍ରୟସ୍ଥଳ ଖୋଲିଛି । କିନ୍ତୁ ଅନେକଙ୍କ କହିବାକଥା ହେଲା, ସଂପୃକ୍ତ ଆଶ୍ରୟସ୍ଥଳ ରହିବା ପାଇଁ ସୁରକ୍ଷିତ ନୁହେଁ । ଖରାପ ପରିବେଶ ସହ ମଶା କାମୁଡା ସେମାନଙ୍କୁ ଅଥୟ କରୁଛି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ଫୁଟପାଥ ସେମାନଙ୍କ ପାଇଁ ଆଶ୍ରୟସ୍ଥଳ ପାଲଟିଛି ।