ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ : ଅଂଚଳରୁ ଜଳ ନିଷ୍କାସନ ପାଇଁ ଚାଲିଛି ଉଦ୍ୟମ, ପମ୍ପ ସେଟ୍ ଲଗାଇ ପାଣି ବାହାର କରିବାକୁ ଉଦ୍ୟମ 

203

କନକ ବ୍ୟୁରୋ : ଲଗାଣ ବର୍ଷାରେ ରାଜଧାନୀରେ ଉବୁଟୁବୁ ସ୍ଥିତି । ରାଜଧାନୀର ଅନେକ ତଳିଆ ଅଂଚଳରେ ଏବେ ପାଣି ଭରି ରହିଗଲାଣି । ସ୍ଥିତି ଏମିତି ଯେ ଘରେ ପାଣି , ବାହାରେ ବି ପାଣି । ବଙ୍ଗୋପସାଗରରେ  ସୃଷ୍ଟ ଲଘୁଚାପ କାରଣରୁ ବର୍ଷା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଗତ ୪୦ ଘଂଟା ଭିତରେ ରାଜଧାନୀରେ ପ୍ରାୟ ୭୦ ମିଲିମିଟର ବର୍ଷା ପରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି ।

ରାଜଧାନୀରେ ଯେପରି କୌଣସି ଅଂଚଳ ଜଳାର୍ଣ୍ଣବ ନହେବ, ପାଣି ତୁରନ୍ତ ନିଷ୍କାସନ କରାଯିବ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଇଂଜିନିୟରିଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ରୋଡ୍, ନୂଆପଲ୍ଲୀ, ବେହେରା ସାହି, ଶତାବ୍ଦୀନଗର, ପଂଚଶାଖାନଗର, ଭୋଇସାହି, ଜ୍ୟୋସ୍ନା ଆପାର୍ଟମେଂଟ, ଝାରପଡା ଶାନ୍ତିନଗର ପରି ୫୦ରୁ ଅଧିକ ଅଂଚଳରେ ଏବେ ପାଣି ଭରି ରହିଛି ।

ଏହି ସମସ୍ତ ଅଂଚଳରୁ ପମ୍ପସେଟ୍ ଜରିଆରେ ପାଣି ନିସ୍କାସନ ବ୍ୟବସ୍ଥା ଆରମ୍ଭ କରିଛି ବିଏମସି । ରାଜଧାନୀର ଜଳାର୍ଣ୍ଣବ ଅଂଚଳରୁ ପାଣି ବାହାର କରିବାକୁ ୩୫ଟି ପମ୍ପସେଟ୍ ବ୍ୟବହାର କରାଯାଇଛି । ଏଥିରୁ ୨୦ଟି ଅଗ୍ନିଶମ ବାହିନୀର ଏବଂ ୧୫ଟି ପମ୍ପସେଟ୍ ବିଏମସିର । ଅନେକ ସ୍ଥାନରେ ବିଏମସି ଅଧିନରେ ଥିବା ଡ୍ରେନ୍ ଗୁଡିକର ସଫେଇ କାମ ସଠିକ ଭାବେ କରାଯାଉନଥିବାରୁ ବର୍ଷା ଦିନେ ଏପରି ଜଳବନ୍ଦୀ ଜୀବନ କାଟିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ରାଜଧାନୀବାସିନ୍ଦା ।