ରାଜଧାନୀରେ ଚାଂଚଲ୍ୟ : ସ୍ୱାମୀ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଢାବାରେ କାମ କରୁଥିଲେ ଦମ୍ପତି; ମ୍ୟାନେଜରକୁ ଗିରଫ କଲା ପୁଲିସ

1,117

କନକ ବ୍ୟୁରୋ : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ । ଅଟକାଇବାରୁ ମାଡ଼ ମାରିବା ସହ ଚାକିରି ନେଇଯିବା ଧମକ । ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶନିବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଥିବା ଏକ ନାମକରା ଢାବାରେ ଏହି ଘଟଣା ଘଟିଥିଲେ ହେଁ ଆଜି ପଦାକୁ ଆସିଛି । ଏହି ଘଟଣାରେ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଅଭିଯୁକ୍ତ ତଥା ଢାବାର ମ୍ୟାନେଜର୍‌ ସୁକାନ୍ତ ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି । ସୁକାନ୍ତର ଘର ୟୁନିଟ୍‌-୩ ଅଞ୍ଚଳରେ। ଏନେଇ ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି ।

ପୁଲିସ୍‌ଠାରୁ ମିଳିଥିବା ସୂଚନାନୁଯାୟୀ, ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ବାହାରିବା ରାସ୍ତାରେ ରହିଥିବା ଏହି ଢାବାରେ ଏକ ଗରିବ ଦମ୍ପତି କାମ କରନ୍ତି । ତେବେ ଦୀର୍ଘ ଦିନ ହେବ ଢାବାର ମ୍ୟାନେଜର୍‌ ସୁକାନ୍ତ ଉକ୍ତ ମହିଳାଙ୍କ ଉପରେ ଆଖି ପକାଇଥିଲା । ଶନିବାର ସଂଧ୍ୟା‌ରେ ଢାବାରେ କେହି ନଥିବା ସୁଯୋଗରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ଏହି ସମୟରେ ବାହାରକୁ ଯାଇଥିବା ମହିଳାଙ୍କ ସ୍ୱାମୀ ଫେରି ଆସିବା ସହ ପ୍ରତିବାଦ କରିବାରୁ ସୁକାନ୍ତ ତାଙ୍କୁ ମାଡ଼ ମାରିବା ସହ କଥା ଆଗକୁ ବଢ଼ାଇଲେ ଚାକିରି ନେଇଯିବାର ଧମକ ଦେଇଥିଲା ।

ଏହି ଗରିବ ଦମ୍ପତିଙ୍କ ପାଖରେ ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଉଭୟ ଚୁପ୍‌ ରହିଥିଲେ । କାଳେ ଉଭୟ ଥାନାରେ ଅଭିଯୋଗ କରିଦେବେ, ତେଣୁ ସୁକାନ୍ତ କେତେକ ଦଲାଲଙ୍କ ସହାୟତାରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲା । କିନ୍ତୁ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ କୌଣସି ସୂତ୍ରରୁ ଖବର ପାଇ ଢାବାରେ ଚଢ଼ଉ କରି ସୁକାନ୍ତଙ୍କୁ ଗିରଫ କରିଥିଲେ । ସୂଚନାଯୋଗ୍ୟ, ଏହି ଢାବା‌ରେ ପ୍ରତି ସଂଧ୍ୟାରେ ଭିଡ଼ ଜମିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗ ରହିଥିଲା । ଅସାମାଜିକ ତତ୍ତ୍ବଙ୍କ ମଧ୍ୟ ମେଳି ଜମୁଥିଲା । ପୂର୍ବରୁ ପୁଲିସ ଅନେକଥର ଏହା ଉପରେ ଚଢ଼ଉ କରି ବନ୍ଦ କରିବାର ନଜିର ମଧ୍ୟ ରହିଛି ।