କନକ ବ୍ୟୁରୋ : କୁହୁଡି ବଳୟରେ ରାଜଧାନୀ । ସକାଳୁ ସକାଳୁ ଭୁବନେଶ୍ୱରରେ ପ୍ରବଳ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । କୁହୁଡି ଏତେ ଜୋରରେ ହୋଇଛି ଯେ, ମୁହଁକୁ ମୁହଁ ଦିଶୁନି । ଏହି ବ୍ୟସ୍ତବହୁଳ ସହରରେ ସକାଳୁ ଅଫିସ ଯିବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ । କୁହୁଡି ଯୋଗୁଁ ଗାଡି ଚଳେଇବା ବେଳେ ସତର୍କ ରହିବା ଆବଶ୍ୟକ ।
ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରୁ ଶୀତ ଋତୁ ସତେ ଯେପରି ଗାଏବ ହୋଇଯାଇଛି । ଅଦିନିଆ ମେଘ ହଟିଯାଇଛି ସିନା, ଅନେକ ସ୍ଥାନରେ ବାୟୁମଣ୍ଡଳରେ ରହିଥିବା ଜଳୀୟବାଷ୍ପ ସଂପୂର୍ଣ୍ଣ ଯାଇନାହିଁ । ଆଜିଠାରୁ ପୁଣି ପଶ୍ଚିମା ବାୟୁ ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦୁଇ ଦିନ ଧରି ସ୍ୱଳ୍ପ ପରିମାଣରେ ବର୍ଷା ହେବାର ଆଶଙ୍କା ରହିଛି ।
କୁହୁଡି ଯୋଗୁଁ ରାସ୍ତାରେ ଗାଡିଗୁଡିକ ଲାଇଟ୍ ଦେଇ ଯା’ ଆସ କରିବାର ଦେଖିବାକୁ ମିଳିଥିଲା ତେବେ ପୂର୍ବରୁ ମଧ୍ୟ ଲଗାତାର ଭାବରେ ସାରା ରାଜ୍ୟରେ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡି ପାଇଁ ଅନେକ ଦୁର୍ଘଟଣା ମଧ୍ୟ ହେବାର ନଜର ରହିଛି । ତେବେ ଆଉ କେତେ ଦିନ ଏପରି ଭାବରେ କୁହୁଡି ଲାଗିରହିବ ତାହାର ସୂଚନା ମିଳିନାହିଁ ।