ଇଣ୍ଡିଆନ ପେଟ୍ରୋଲ ପମ୍ପ ଦୁର୍ଘଟଣା । ଅଳ୍ପକେ ବର୍ତିଗଲା ରାଜଧାନୀ , ଉପରକୁ ସିଧା ଫାଟିଲା ନଚେତ୍...

Advertisment
ଇଣ୍ଡିଆନ ପେଟ୍ରୋଲ ପମ୍ପ ଦୁର୍ଘଟଣା । ଅଳ୍ପକେ ବର୍ତିଗଲା ରାଜଧାନୀ , ଉପରକୁ ସିଧା ଫାଟିଲା ନଚେତ୍...

କନକ ବ୍ୟୁରୋ :  ରାଜଧାନୀ ଭୁବନେଶ୍ୱର ଏକ ବଡ଼ ଧରଣର ବିପଦରୁ ବର୍ତ୍ତିଯାଇଛି। ରାଜଭବନ ନିକଟ ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପରେ ଯେଉଁ ବିସ୍ଫୋରଣ ହୋଇଥିଲା ସେଥିରେ ଅନ୍ୟ ତେଲ ଟାଙ୍କି ଫାଟିଥିଲେ ଆଖପାଖ ଅଞ୍ଚଳ ଛାରଖାର ହୋଇଯାଇଥାନ୍ତା ବୋଲି କୁହାଯାଉଛି। କାରଣ ବିସ୍ଫୋରଣ ସମୟରେ ପେଟ୍ରୋଲ ପମ୍ପରେ ପ୍ରାୟ ୫୦ ହଜାର କିଲୋ ଲିଟର ପେଟ୍ରୋଲ ଓ ଡିଜେଲ ଏବଂ ୧୦ ହଜାର କିଲୋ ଲିଟର ଏଲପିଜି ରହିଥିଲା।

ବିସ୍ଫୋରଣ ହୋଇଥିବା ଭୂତଳ ଟାଙ୍କି ୫ ଫୁଟ ବ୍ୟାସାର୍ଦ୍ଧ ଓ ଭୂମି ଉପରକୁ ସିଧା ଫାଟିଥିଲା। ଯଦି ଏହି ଟାଙ୍କି ସିଧା ନ ଫାଟି ଚଉଡ଼ାରେ ବିସ୍ଫୋରଣ ହୋଇଥାନ୍ତା ତାହାଲେ ପରିସ୍ଥିତି ଆହୁରି ସାଂଘାତିକ ହୋଇ ପଡ଼ିଥାନ୍ତା। ମାଟି ତଳେ ଥିବା ଟ୍ୟାଙ୍କରରେ ଅଳ୍ପ ପରିମାଣର ଗ୍ୟାସ ଥିବାରୁ ବିସ୍ଫୋରଣର ପ୍ରକୋପ ଏତିକି ଭୟଙ୍କର ଥିଲା। ନିକଟରେ ଭର୍ତ୍ତି ହେବାକୁ ଥିବା ଏଲପିଜି ଗ୍ୟାସ ଟ୍ୟାଙ୍କର ଯଦି ବିସ୍ଫୋରଣ ହୋଇଥାନ୍ତା ତା’ହେଲେ ଅବସ୍ଥା ଆହୁରି ଭୟଙ୍କର ହୋଇଥାନ୍ତା।

ସେହିପରି ଭୂତଳ ଟାଙ୍କିରେ ମହଜୁଦ୍ ଥିବା ପ୍ରାୟ ୫୦ ହଜାର କିଲୋ ଲିଟର ପେଟ୍ରୋଲ ଓ ଡିଜେଲରେ ନିଆଁ ଲାଗିଥିଲେ ଆହୁରି ଭୟଙ୍କର ବିସ୍ଫୋରଣ ଘଟିଥାନ୍ତା ଓ ୭ ଦିନ ପର୍ଯ୍ୟନ୍ତ ନିଆଁ ଜଳିଥାନ୍ତା ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ବିସ୍ଫୋରଣ କ୍ଷତି କଳନା କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଥାନ୍ତା। ପୁଲିସ କମିସନରଙ୍କ ସହ ବରିଷ୍ଠ ଅଧିକାରୀ ଫୋର୍ସ ସହ ପହଞ୍ଚି ତୁରନ୍ତ ରାସ୍ତାଘାଟ ଖାଲି କରି ପୂରା ଅଞ୍ଚଳକୁ ସିଲ୍ କରି ଦେଇଥିଲେ, ଯାହାକି ସମୟୋଚିତ ପଦକ୍ଷେପ ଥିଲା। ଯଦି ବିସ୍ଫୋରଣ ହୋଇଥାନ୍ତା ତା’ହେଲେ କେତେ ଜୀବନ ଯାଇଥାନ୍ତା କହିବା ମୁସ୍କିଲ। ଅଗ୍ନିଶମ ଟିମର କାର୍ଯ୍ୟ ମଧ୍ୟ ବେଶ୍ ଚ୍ୟାଲେଜିଂ ଥିଲା।

ପେଟ୍ରୋଲ ପମ୍ପ ବିସ୍ଫୋରଣ ପଛରେ ରହିଛି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ ତନାଘନା ଆରମ୍ଭ କରିଥିବା ବେଳେ ଦୋଷତ୍ରୁଟି ପଦାକୁ ଆସିଛି। ପେଟ୍ରୋଲ ପମ୍ପର ବିସ୍ଫୋରଣ ସ୍ଥଳରେ ଦୁଇଟି ଭୂତଳ ଏଲପିଜି ଟାଙ୍କି ରହିଥିଲା। ସେଥିରୁ ଗୋଟିଏ ବିସ୍ଫୋରଣ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଟାଙ୍କି ଠିକ୍ ଅଛି କି ନାହିଁ ତାହା ଜାଣିବା ଲାଗି ଆଇଓସିଏଲ୍ ଫରିଦାବାଦର ଏକ ସଂସ୍ଥାକୁ ଏହି କାମ ଦେଇଥିଲା। ଗତ ସେପ୍ଟେମ୍ବର ୨୬ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସେହି ସଂସ୍ଥା ପ୍ରଥମ ଟାଙ୍କିର ସମସ୍ତ କାମ ଶେଷ କରିଥିଲେ।

ଗତ ୬ ତାରିଖରେ ଦ୍ୱିତୀୟ ଟାଙ୍କିର କାମ ଶେଷ ହୋଇଥିଲା। ଏହି ଟାଙ୍କିରେ ଗ୍ୟାସ ଭର୍ତ୍ତି ହେବା ପୂର୍ବରୁ ଚୂଡ଼ାନ୍ତ ପର୍ଯ୍ୟାୟ ଯାଞ୍ଚ ପାଇଁ କୋଲକାତାର ଏକ ସଂସ୍ଥାକୁ ଆଇଓସିଏଲ୍ ପକ୍ଷରୁ କାମ ଦିଆ ଯାଇଥିଲା। ଗତ ୭ ତାରିଖରେ କୋଲକାତାର ସଂସ୍ଥା ଯାଞ୍ଚ କରୁଥିଲା। ଦୁଇଟି ଭୂତଳ ଟାଙ୍କିକୁ ସଂଯୋଗ କରିବା ଲାଗି ଏକ ଭାଲ୍‌ଭ ରହିଥାଏ। ସେହି ଭାଲ୍‌ଭ ଖୋଲିବା ସମୟରେ ବିସ୍ଫୋରଣ ଘଟିଥିଲା। ନାଇଟ୍ରୋଜେନ୍ ଗ୍ୟାସ୍ ଅମ୍ଳଜାନ ସହ ମିଶିବା ପରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। କିନ୍ତୁ ବିନା ଅଗ୍ନି ସଂଯୋଗରେ ବିସ୍ଫୋରଣ ହେବା କଷ୍ଟକର ହୋଇଥିବା ବେଳେ ନିଆଁ କେମିତି ଲାଗିଲା ତାହାର କାରଣ ଖୋଜା ଚାଲିଛି।

ପୁଲିସ ଏକାଧିକ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ ସଂସ୍ଥାକୁ କାମ ଦିଆ ଯାଇଥିଲା ସେ ନେଇ ଯାଞ୍ଚ କରିଛି। ଆଇଓସିଏଲ୍ ପକ୍ଷରୁ ଫରିଦାବାଦ ଓ କୋଲକାତାର ଯେଉଁ ସଂସ୍ଥାକୁ କାମ ଦିଆ ଯାଇଥିଲା ସେ ନେଇ କୌଣସି କାଗଜପତ୍ର ତଦନ୍ତକାରୀ ଟିମକୁ ମିଳିପାରି ନାହିଁ। ସବୁଠୁ ବଡ଼ କଥା ହେଲା ଏହି ଯାଞ୍ଚ ସମୟରେ ଆଇଓସିଏଲର ଅଧିକାରୀ ମଧ୍ୟ ଉପସ୍ଥିତ ରହିବା କଥା। କିନ୍ତୁ ଯାହା ସୂଚନା ମିଳିଛି କେବଳ କାମରେ ନିୟୋଜିତ ସଂସ୍ଥାର କର୍ମଚାରୀମାନେ କାମ କରୁଥିଲେ। ଆଇଓସିଏଲର କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ।

ଏହା ଏବେ ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଠେଲି ଦେଇଛି। ଆଇଓସିଏଲ୍‌ର ଜଣେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଠାରୁ ମଧ୍ୟ ପୁଲିସ କୌଣସି ସନ୍ତୋଷଜନକ ଉତ୍ତର ପାଇପାରି ନାହିଁ। କେଉଁ ପରିସ୍ଥିତିରେ ଏହି କାମକୁ ଉକ୍ତ ସଂସ୍ଥାକୁ ଦିଆ ଯାଇଥିଲା? ସେ ନେଇ କ’ଣ କାଗଜପତ୍ର ରହିଛି କି ନାହିଁ? କେବଳ ମୌଖିକ ଭାବେ କୁହା ଯାଇଥିଲା କି? ଯାଞ୍ଚ ସମୟରେ ଆଇଓସିଏଲ୍ ଅଧିକାରୀ କାହିଁକି ଉପସ୍ଥିତ ନ ଥିଲେ? ସେ ନେଇ ଖୋଳତାଡ଼ ଚଳାଇଛି ପୁଲିସ। ଏହି ଦିଗ ସହ ଜଡ଼ିତ ସମସ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି। ବିସ୍ଫୋରଣ ସମ୍ପର୍କରେ ଅଧିକ ଜାଣିବା ଲାଗି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମଧ୍ୟ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe