ରାଜଧାନୀରେ କମୁଛି ଆକ୍ରାନ୍ତ, କମୁନି ମୃତ୍ୟୁହାର : ୮ ଦିନରେ ଗଲାଣି ୧୫ ଜୀବନ

81

କନକ ବ୍ୟୁରୋ : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୫୮୦ରୁ ଖସି ୫୭ରେ ପହଞ୍ଚିଲାଣି । ଗତ ୧୧ ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପୁନି । ଆକ୍ରାନ୍ତ କମୁଥିବାରୁ ‌ଦୈନିକ ସୁସ୍ଥ ସଂଖ୍ୟା ବି କମୁଛି । ଗତ ଦୁଇ ଦିନ ହେଲା ଭୁବନେଶ୍ୱରରେ ଶହେରୁ କମ୍‌ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଏହି ପରିସଂଖ୍ୟାନ ଦେଖିଲେ ରାଜଧାନୀବାସୀ ଆଶ୍ୱସ୍ତ ହୋଇପାରନ୍ତି । କିନ୍ତୁ କରୋନା ଜନିତ ମୃତ୍ୟୁ ହାର ଦେଖିଲେ, ଏବେ ବି ସ୍ଥିତି ଭୟଙ୍କର ଅଛି ବୋଲି ଜଣାପଡ଼ୁଛି । ଗତ ୮ ଦିନରେ ଭୁବନେଶ୍ୱରରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରେକର୍ଡ କହୁଛି । ବେସରକାରୀ ହିସାବରେ ଏହା ଆହୁରି ଅଧିକ । ନଭେମ୍ବର ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଅକ୍ଟୋବର ମାସ ଭଳି ଆକ୍ରାନ୍ତଙ୍କର ମୃତ୍ୟୁ ହେବା ଚିନ୍ତାଜନକ ହୋଇଛି ।

ବିଏମ୍‌ସିରସୂଚନା ଅନୁଯାୟୀ, ସେପ୍ଟେମ୍ବର ୩୦ ସୁଦ୍ଧା ଭୁବନେଶ୍ବରରେ ୨୧୮୯୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ୩୯ ଦିନରେ ୮୮ଜଣଙ୍କର ମୃତ୍ୟୁ ହେଲାଣି । ଅର୍ଥାତ୍‌ ଏଠାରେ ଦିନକୁ ଦୁଇ ଜଣରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଅକ୍ଟୋବରରେ ପ୍ରଥମ ୮ ଦିନରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନଭେମ୍ବରରେ ବି ପ୍ରଥମ ୮ ଦିନରେ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଅକ୍ଟୋବର ୧ରୁ ୮ ମଧ୍ୟରେ ୨୬୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନଭେମ୍ବର ୧ରୁ ୮ ମଧ୍ୟରେ ମାତ୍ର ୫୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ମାସକ ମଧ୍ୟରେ ପ୍ରାୟ ୫ଗୁଣା କମିଥିଲେ ବି କରୋନା ଜନିତ ମୃତ୍ୟୁ ସଂଖ୍ୟା ସେହି ଅନୁଯାୟୀ କମିନି । ବରଂ ଯେତିକି ମୃତ୍ୟୁ ଗତ ମାସରେ ଏହି ସମୟରେ ହୋଇଥି‌ଲା, ଏବେ ସେତିକି ମୃତ୍ୟୁ ହୋଇଛି ।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିରୁ ପ୍ରାୟ ୮୦% ଘରେ ରହି ଚିକିତ୍ସିତ ହେଉଛନ୍ତି । କିଛି ଲୋକ କରୋନା ସଂକ୍ରମିତ ହେଉଥିଲେ ହେଁ ପ୍ରାଥମିକ ପର୍ଯ୍ୟାୟରୁ ଏହା ଜାଣି ପାରୁ ନଥିବାରୁ ପରବର୍ତ୍ତୀ ସମୟରେ ସ୍ଥିତି ଜଟିଳ ହୋଇଯାଉଛି । ତେଣୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲା ବେଳକୁ ବିଳମ୍ବ ହୋଇଯାଉଛି । ସେହି କ୍ଷେତ୍ରରେ ମୃତକଙ୍କ ସଂଖ୍ୟା ବଢ଼ୁଛି । ଆଉ କିଛି ଡେଥ୍‌ ଅଡିଟ୍‌ ରିପୋର୍ଟ ଏବେ ଆସୁଥିବାରୁ ସେଗୁଡ଼ିକୁ ଆମେ ତାଲିକାରେ ଦେଖାଉଛୁ । ଏବେ କିନ୍ତୁ ପୂର୍ବାପେକ୍ଷା କରୋନା ଜନିତ ମୃତ୍ୟୁ କମିବାରେ ଲାଗିଛି । ଯେପରି ଗୁରୁତର ଆକ୍ରାନ୍ତଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ସେଥିପାଇଁ କୌଣସି ହସ୍ପିଟାଲରେ ଆଇସିୟୁ ଶଯ୍ୟା କମାଯାଇନି । ଆବଶ୍ୟକ ଆଇସିୟୁ, ଭେଣ୍ଟିଲେଟର୍‌ ଅଛି । ସାଧାରଣ ଶଯ୍ୟାରେ ଆକ୍ରାନ୍ତ ଭର୍ତ୍ତି ହେଉନଥିବାରୁ ସେଗୁଡ଼ିକୁ କମାଯାଉଛି ।