ରାଜଧାନୀ ଦିଲ୍ଲୀରେ କୋଭିଡ ବିରୋଧରେ ସବୁଠୁ ବଡ ଲଢେଇ । ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ । ୫୭ଲକ୍ଷ ଲୋକଙ୍କ ତଥ୍ୟ ସଂଗ୍ରହ କରିବ ସ୍ୱାସ୍ଥ୍ୟ ବିଭାଗ

129

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ତୃତୀୟ ଲହଡି ଅସମ୍ଭାଳ ହେବାକୁ ଲାଗିଛି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଶୁକ୍ରବାରଠାରୁ ଦିଲ୍ଲୀରେ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି । କୁହାଯାଉଛି ଏହା ଦିଲ୍ଲୀର ସବୁଠାରୁ ବଡ ସର୍ଭେ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ୧୩ରୁ ୧୪ଲକ୍ଷ ଲୋକଙ୍କଳ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବ । ଦିଲ୍ଲୀର ୧୧ଟି ଜିଲ୍ଲାର ପ୍ରାୟ ୫୭ଲକ୍ଷ ଲୋକଙ୍କ ତଥ୍ୟ ସଂଗ୍ରହ କରାଯିବ । ଗୋଟିଏ ଟିମରେ ୨ରୁ ୫ଜଣ ରହିଛନ୍ତି । ଏହିପରି ୯ହଜାର ୫ଶହଟି ଟିମ ସର୍ଭେ ଆରମ୍ଭ କରିଛି ।
ନଭେମ୍ବର ମାସରୁ ଦିଲ୍ଲୀରେ କୋଭିଡ ସଂକ୍ରମଣର ତୃତୀୟ ଲହଡି ଆରମ୍ଭ ହୋଇଛି । ପ୍ରତିଦିନ ୬ରୁ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସଂକ୍ରମଣକୁ ଆୟତ କରିବା ପାଇଁ କିଛି ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର ।

ଦିଲ୍ଲୀରେ ଶୁକ୍ରବାର ଠାରୁ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି । ଅପରପକ୍ଷରେ ମାସ୍କ ନପିନ୍ଧିଲେ ୨ହଜାର ଟଙ୍କା ଜରିମାନା ନିୟମ ହୋଇଛି । ଯାହାକୁ ନେଇ ପୋଲିସର ଚେକିଂ ଜୋରଦାର ହୋଇଛି । ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି । ସେପଟେ ଘରେ ରହି ଛଟ ପୂଜା କରିବାକୁ ଦିଲ୍ଲୀ ସରକାର ବାରମ୍ବାର ନିବେଦନ କରୁଥିବା ବେଳେ ହାଟ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ରାଜଧାନୀ ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ମୁମ୍ବାଇ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ ବନ୍ଦ କରିବାକୁ ବିଚାର କରୁଛନ୍ତି ମହାରାଷ୍ଟ୍ର ସରକାର । କେବଳ ଏତିକି ନୁହେଁ ଏହାସହ ଟ୍ରେନ ଚଳାଚଳ ଉପରେ ମଧ୍ୟ ଲାଗିପାରେ କଟକଣା । ଠାକରେ ସରକାର ଏନେଇ ବଡ ନିଷ୍ପତି ନେଇପାରନ୍ତି ।
ରାଜଧାନୀ ଦିଲ୍ଲୀରେ ଅଣାୟତ ହେଉଛି ସଂକ୍ରମଣ । ଗତ ୨୪ ଘଂଟାରେ ୯୮ଜଣଙ୍କ ମୃତ୍ୟୁ ହୋଇଛି ଏହାସହ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଛି । ଏବେ ଦିଲ୍ଲୀର ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬ରେ ପହଂଚିଛି । ସେହିପରି ୨୪ ଘଂଟାରେ ୭ହଜାର ୫୪୬ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ମୋଟ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୧୦ ହଜାର ୬୩୦କୁ ବୃଦ୍ଧି ପାଇଛି । ବୁଧବାର ଦିଲ୍ଲୀରେ ସର୍ବାଧିକ ୧୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।