ଅସରାଏ ବର୍ଷାରେ ଘାଇଲା ରାଜଧାନୀ । କାହିଁକି ଉପୁଜୁଛି ଏପରି ସ୍ଥିତି? ଏଥିପାଇଁ ଦାୟୀ କିଏ?

77

କନକ ବ୍ୟୁରୋ: ଅସରାଏ ଛେଚା ବର୍ଷା, ବଦଳିଗଲା ସ୍ମାର୍ଟ ସିଟି ଭୁବନେଶ୍ୱର ରାସ୍ତାର ଚିତ୍ର । ରାସ୍ତାରେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣି, ଡ୍ରେନ ଉପରେ ଚାଲିଲା ପାଣିର ସୁଅ । ଫସିଗଲା କାର, ବସ, ବୁଡ଼ିଗଲା ବାଇକ୍ । ନାହିଁ ନଥିବା ସମସ୍ୟା ଭୋଗିଲେ ରାଜଧାନୀବାସୀ । ଏବେ ବର୍ଷା ଉଠାଇଲେ ଲୋକଙ୍କ ମନରେ ଛନକା ପଶିଯାଉଛି । ତେବେ ଗତକାଲି ରାଜଧାନୀରେ ୨୪ ଘଣ୍ଟା ମଧ୍ୟରେ ମାତ୍ର ୨୧.୩ ମିିଲିମିଟର ବର୍ଷା ହୋଇଛି । ହେଲେ ଏତିକି ବର୍ଷାରେ ଉବୁଟୁବୁ ହେଲା ଭୁବନେଶ୍ୱର ।

  • କାହିଁକି ଉପୁଜୁଛି ଏପରି ସ୍ଥିତି?
  • ଏଥିପାଇଁ ଦାୟୀ କିଏ?

ଭୁବନେଶ୍ୱରର ଡ୍ରେନ କେବଳ ବିଏମସି ଅଧୀନରେ ନାହିଁ, ପିଡବ୍ଲୁଡି, ଇଡକୋ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବା ଏନଏଚଏଆଇ ଅଧୀନରେ ମଧ୍ୟ କିଛି ଡ୍ରେନ ରହିଛି । ବର୍ଷା ହେଲେ ବାରମ୍ବାର ଏପରି ସ୍ଥିତି ଉପୁଜୁଥିଲେ ବି ଏହିସବୁ ବିଭାଗ ମଧ୍ୟରେ ଏପର୍ଯ୍ୟନ୍ତ ସମନ୍ୱୟ ସୃଷ୍ଟି ହୋଇ ପାରୁନାହିଁ । କେଉଁଠି ସମନ୍ୱୟର ଅଭାବ ରହୁଛି, ଏ ନେଇ ତତ୍ପରତା ମଧ୍ୟ ପ୍ରକାଶ ପାଇନାହିଁ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜଧାନୀବାସୀ ।

ଭିନ୍ନ ଭିନ୍ନ କାରଣ ଦର୍ଶାଇ ନିଜ ଅସହାୟତା ଦେଖାଉଛି ବିଏମସି । ପିଡବ୍ଲୁଡି ଅଧୀନରେ ୩୬୦ କିଲୋମିଟର, ଇଡକୋ ଅଧୀନରେ ୬୫ କିଲୋମିଟର, ଏନଏଚଏଆଇ ଅଧୀନରେ ୩୪ କିଲୋମିଟର ଏବଂ ବିଏମସି ପାଖରେ ରହିଛି ୧୩୮୦ କିଲୋମିଟର ସହର ଭିତର ଡ୍ରେନ ଓ ୭୭ କିଲୋମିଟରର ମୁଖ୍ୟ ଡ୍ରେନ ।

କାହା ଅଧୀନରେ କେତେ ଡ୍ରେନ?

  • ପିଡବ୍ଲୁଡି – ୩୬୦ କିମି
  • ଇଡକୋ– ୬୫ କିମି
  • ଏନଏଚଏଆଇ – ୩୪ କିମି
  • ବିଏମ୍ସି – ୧୩୮୦ କିମି ଛୋଟ, ୭୭ କିମି ବଡ଼ ଡ୍ରେନ

ସବୁ ଡ୍ରେନ ବିଏମସି ଅଧୀନକୁ ଆସିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହୁଛି ବିଏମସି । ବର୍ଷା ବେଳେ ଓଭରବ୍ରିଜରୁ ଯେଉଁ ପାଣି ଖସୁଛି, ତାହା ଡ୍ରେନର କ୍ଷମତା ଠାରୁ ଢ଼େର ଅଧିକ । ଫଳରେ ଯେଉଁଠି ଓଭରବ୍ରିଜ୍, ସେଇଠି ସ୍ଥିତି ଅସମ୍ଭାଳ ହେଉଛି । ଇସ୍କନ ସାମ୍ନାରେ ଯେଉଁ ପାଣି ଜମୁଛି, ତା’ର ସମାଧାନ ପାଇଁ …

କେମିତି ହେବ ସମାଧାନ?

  • ଇସ୍କନ ମନ୍ଦିର ପାଖ ଡ୍ରେନକୁ ସଂପ୍ରସାରଣ କରି ବାଣୀବିହାର ୪ ନମ୍ବର ଡ୍ରେନ ସହ ସଂଯୋଗ କରିବାର ଆବଶ୍ୟକତା ରହିଛି
  • ୧୧ଟି ସ୍ଥାନରେ କଲର୍ଭଟ, ନୂଆ ଡ୍ରେନ୍, ଡିସ୍ପୋଜାଲ୍ ପଏଂଟ କରିବାକୁ ହେବ
  • ସେଥିପାଇଁ ଦେଢ଼ ବର୍ଷ ସମୟ ଲାଗିବ ବୋଲି କହିଛନ୍ତି ବିଏମ୍ସି ଇଂଜିନିୟର

ବର୍ଷା ହେଲେ ରାଜଧାନୀର ୧୨ଟି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଇସ୍କନ ମନ୍ଦିର ସାମ୍ନା, ନ୍ୟୁ ଫରେଷ୍ଟ ପାର୍କ, ସିଟି ୱମେନ୍ସ କଲେଜରୁ ଜାଗମରା, ଆୟୁର୍ବେଦିକ ହସ୍ପିଟାଲ ସାମ୍ନା, ସୁଭାଷ ନଗର ବସ୍ତି, ରୁଦ୍ରପୁର, ଭୀମପୁର ସ୍ୱିଟି କମ୍ପେ୍ଲକ୍ସ, ରାଜୀବ ନଗର,ପାଇକ ନଗର, ବନଫୁଲ ବସ୍ତି, ଲକ୍ଷ୍ମୀସାଗର ଗାଁ ଅଂଚଳରେ ବନ୍ୟା ଭଳି ପାଣିର ସୁଅ ଛୁଟୁଛି ।

ତେବେ କେବେ ଏପରି ସମସ୍ୟାରୁ ମୁକ୍ତି ମିଳିବ, ଏ ନେଇ ଚିନ୍ତାରେ ପଡିଛନ୍ତି ଭୁବନେଶ୍ୱର ବାସିନ୍ଦା । ଅପେକ୍ଷା ରହିଛି, ବିଭାଗ ବିଭାଗ ମଧ୍ୟରେ କେବେ ସମନ୍ୱୟ ସୃଷ୍ଟି ହେବ, ଆଉ ଏଭଳି ସ୍ଥିତିରୁ ମୁକୁଳିବ ରାଜଧାନୀ ।