ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ନିୟମ କଡ଼ାକଡ଼ି । ଗୋଟିଏ ଦିନରେ ୨ ହଜାର ୭୨୯ ଜଣଙ୍କଠାରୁ ଫାଇନ୍ ଆଦାୟ କଲା କମିଶନରେଟ୍ ପୁଲିସ୍, ୨୨ ଦୋକାନ ସିଲ୍

115

କନକ ବ୍ୟୁରୋ : କୋଭିଡ ଗାଇଡ୍ଲାଇନ୍ ଉଲ୍ଲଂଘନ କଲେ ନିସ୍ତାର ନାହିଁ । ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହେଉଛି ଯାଂଚ । ଗୋଟିଏ ଦିନରେ କୋଭିଡ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨ ହଜାର ୭୨୯ ଜଣଙ୍କ ନିକଟରୁ ଫାଇନ୍ ଆଦାୟ କରିଛି ପୁଲିସ । ସେହିପରି ୨୨ ଟି ଦୋକାନକୁ ସିଲ୍ କରାଯାଇଛି । ଗତ ସାପ୍ତାହିକ କୋଭିଡ୍ ସମୀକ୍ଷା ବେଳେ କଟକ- ଭୁବନେଶ୍ୱରରେ କୋଭିଡ୍ କଟକଣା ସଠିକ ଭାବେ ହେଉ ନଥିବା ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ଟ୍ୱିନସିଟିରେ ଏନେଇ ଯାଂଚ ପାଇଁ ପୋଲିସ ମହନିର୍ଦ୍ଦେଶକ ସିଧାସଳଖ ଅନୁଧ୍ୟାନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ।

ରାଜଧାନୀରେ ଅଧିକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବା ସହ କୋଭିଡ ଉଲ୍ଲଂଘନକାରୀଙ୍କୁ ଧରପଗଡ ପାଇଁ ତନାଘନା ଆରମ୍ଭ ହୋଇଛି । ବିଶେଷ କରି ଦିନ ବେଳା ସଚେତନ କରାଯାଉଥିବା ବେଳେ ସଂଧ୍ୟାରେ ଦୋକାନ ବଜାର ଅଂଚଳରେ ଯାଂଚକୁ କଡା କଡି କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ଦୋକାନରେ ସଠିକ ଭାବେ କୋଭିଡ୍ ଗାଇଡ୍ ପାଳନ କରୁଛନ୍ତି କି ନାହିଁ ତାକୁ ଯାଂଚ କରାଯାଉଛି । ସେପଟେ କେନ୍ଦୁଝର ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୪ ଲକ୍ଷ ୧୮ ହଜାର ଜରିମାନା ଆଦାୟ କରିଛି ଜିଲ୍ଲା ପ୍ରଶାସନ । କୋଭିଡ୍ ନିୟମରେ ଖିଲାପ କରିବା କାରଣରୁ ୧୫ଟି ଦୋକାନକୁ ମଧ୍ୟ ବନ୍ଦ କରାଯାଇଛି ।