କେନାଲରେ ପାଣି ଆସୁ ଆସୁ ଭୁଶୁଡିଗଲା କଂକ୍ରିଟ୍ କାମ । ଜାନୁୟାରୀରେ ହୋଇଥିଲା ପ୍ରକଳ୍ପର ଉଦଘାଟନ, ଜୁଲାଇରେ ବାଲି ବସ୍ତା ପକାଇ ଚାଲିଛି ତାଲିପକା କାମ୍

206

କନକ ବ୍ୟୁରୋ: ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବୃହତ ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପରେ ପାଣି ଛଡାଯିବାର ମାତ୍ର ଦିନ କେଇଠାରେ ବନ୍ଧ ଭାଙ୍ଗିଯିବା ସମସ୍ତଙ୍କୁ ଚକିତ କରିଛି । ଏତେ ଟଙ୍କା ବ୍ୟୟରେ କାର୍ଯ୍ୟ ହୋଇଥିଲେ ବି କାହିଁକି ଭୁଷୁଡିଲା ବନ୍ଧ ତାକୁ ନେଇ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ପାଣି ମାଡି ଯିବାରୁ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ଦାବି ଜଣାଇଛନ୍ତି ।

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କଳାହାଣ୍ଡି କୋକସରା ବେହେରା ମଝି କେନାଲର ବନ୍ଧ ଭାଙ୍ଗି ଏମିତି ଘାଇ ସୃଷ୍ଟି ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ମାତ୍ର କିଛି ଦିନ ତଳେ ଏହି କେନାଲରେ ପାଣି ଛଡାଯାଇଥିଲା । ହେଲେ କେନାଲର ଉଭୟ ପାଶ୍ୱର୍ କଂକ୍ରିଟ ହୋଇଥିବାବେଳେ ବନ୍ଧ ଭାଙ୍ଗି ୨୦ ଫୁଟର ଘାଇ ହେବା କାମର ମାନକୁ ନେଇ ସନ୍ଦେହ ସୃଷ୍ଟି କରିଛି ।

ବନ୍ଧ ଭାଙ୍ଗିଯିବା ପରେ ଜରୁରୀକାଳିନ ଭିତରେ ମରାମତି କରାଯାଇଛି । ମାଟି ପକାଇ ଘାଇ ପୋତାଯିବା ସହ କଡରେ ବାଲି ବସ୍ତା ଦିଆଯାଇଛି । ଯେଉଁଠି କେନାଲରେ ପାଣି ଆସୁ ଆସୁ କଂକ୍ରିଟ ନିର୍ମାଣ ଭୁଷୁଡି ଯାଉଛି, ସେଠି ବାଲି ବସ୍ତା ଦମ୍ଭ ଧରିବ ତ । ପାଣି ଗଲା ବେଳକୁ ପୁଣି ଥରେ ଘାଈ ସୃ୍ଷ୍ଟି ହେବ ନାହିଁ ବୋଲି କିଏ ଦେବ ଗ୍ୟାରେଂଟି । ତେବେ ନିମ୍ନମାନର କାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ଅଧକାରୀ । କହିଛନ୍ତି ଉଚ୍ଚ ଅଧିକାରୀଙ୍କ ଅନୁଧାନ ପରେ ପାଣି ଛଡାଯାଇଥିଲା ।

ଏବେ ପ୍ରଶ୍ନ ଉଠୁଛି, ଯେଉଁ ଅଧିକାରୀ କାମ ଠିକ୍ ଅଛି ବୋଲି ସାର୍ଟିଫିକେଟ ଦେଇଥିଲେ, ସେ ଏଥିପାଇଁ ଦାୟୀ ରହିବେ କି? ଗତ ୨୦୧୩ରେ ପ୍ରକଳ୍ପର ଶିଳାନ୍ୟାଶ ହୋଇଥିଲା । ୨୦୧୫ରେ ଏଲଆଣ୍ଡଟିକୁ କାମ ଦିଆଗଲା ଓ ୨୦୨୧ ଜାନୁଆରୀରେ ଏହାର ଉଦ୍ଦଘାଟନ କରିଥିଲେ । ହେଲେ ମାସ ସାତଟା ନପୂରୁଣୁ କେନାଲ ଭୁଷୁଡିବା ପ୍ରମାଣିତ କରୁଛି କାମ ନିମ୍ନ ମାନର ଥିଲା ଓ ଅଧିକାରୀ ସଠିକ୍ ତଦାରଖ କରିନଥିଲେ ।