କନକ ବ୍ୟୁରୋ: କେବେ ସରିବ ଚାଷୀଙ୍କ ଦୁଃଖ । କେତେବେଳେ ରୋଗ ପୋକ ତ ପୁଣି କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ । ଆଉ କେତେବେଳେ ପାଣି ସମସ୍ୟା ଚାଷୀଙ୍କ ଉପରେ ଦାଉ ସାଧୁଛି । ବଲେଶ୍ୱର ନିଳଗିରି ଅଂଚଳରେ ଚାଷ ପାଇଁ ତଳି ପକାଇ ପାଣିକୁ ପାଇଁ ଅପେକ୍ଷା କରିଛନ୍ତି । ହେଲେ କେନାଲରେ ପାଣି ନଆସିବାରୁ ଚାଷୀ ଉଜୁଡ଼ିବାକୁ ବସିଲାଣି ୬୦ ଏକରରୁ ଅଧିକ ଫସଲ ।

Advertisment

ପାଣି ପାଇଁ ଚିନ୍ତାରେ ଚାଷୀ । ଶୁଖିଲା ପଡ଼ିଛି କେନାଲ । ଜମି ଫାଟିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବାଲେଶ୍ୱର ନୀଳଗିରି ବ୍ଲକ କେସିପୁର ପଂଚାୟତର ଗବପାଳ ଗାଁ ଚାଷୀ । ବିଲକୁ ପାଣି ମାଡ଼ିବା ପାଇଁ ନାଳ କରାଯାଇଛି । ହେଲେ କେନାଲରେ ପାଣି ଆସୁନାହିଁ । ଫଳରେ କେନାଲ ପାଣିକୁ ଭରସା କରି ଖରିଫ ଚାଷ ପାଇଁ ହୋଇଥିବା ତଳି ଏବେ ଶୁଖିବାକୁ ବସିଲାଣି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ପାଣି ନଆସିବାରୁ ବାଦାମ ତଳି ମରିପଡ଼ିଥିବା ବେଳେ ମାଣ୍ଡିଆ ଓ ମୁଗ ଚାଷ ମଧ୍ୟ ନଷ୍ଟ ହେଲାଣି । ଫଳରେ ଲକ୍ଷ ଲକ୍ଷ ଟଙ୍କା ରୁଣ କରିଥିବା ଚାଷୀ କିଭଳି ରୁଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

ସାଧାରଣତଃ ଏହି ଅଂଚଳର ଲୋକ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶିଳ । ଜଙ୍ଗଲକୁ ନଯାଇ କିଭଳି ଲୋକମାନେ ରୋଜଗାର କରିବେ ସେନେଇ ନିଳଗିରି ଆଇଟିଡିଏ ପକ୍ଷରୁ ଚାଷୀଙ୍କୁ ବାଦାମ, ମୁଗ, କଲରା ଏବଂ ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ବିହନ ଯୋଗାଇଦିଆଯାଇଥିଲା । ହେଲେ ଠିକ୍ ସମୟରେ ପାଣି ନମିଳିବାରୁ ଏବେ ସ୍ଥାନୀୟ ଅଂଚଳର ୬୦ ଏକର ଚାଷ ଉଜୁଡ଼ିବାକୁ ବସିଲାଣି । ତୁରନ୍ତ ଚାଷ କାମ ପାଇଁ ପାଣି ନମିଳିଲେ ସମୁହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ।