କନକ ବ୍ୟୁରୋ: କାନାଡାରେ ତେଜିବାରେ ଲାଗିଛି ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ । ରାଜଧାନୀ ଓଟାୱାରେ ହଜାର ହଜାର ସଂଖ୍ୟାରେ ଟ୍ରକ ଡ୍ରାଇଭର ନିଜ ନିଜ ଟ୍ରକ ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । କରୋନା ଟିକାକୁ ବାଧ୍ୟତାମୂଳକ କରାଯିବା ନିୟମକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏହି ସବୁ ଡ୍ରାଇଭର । ଯାହାକୁ ନେଇ ଉତ୍ୟକ୍ତ ଡ୍ରାଇଭର ରାଜଧାନୀ ଓଟାୱାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବାସଭବନ ଘେରାଉ କରିଛନ୍ତି । ସେପଟେ ଆନ୍ଦୋଳନର ଆଶଙ୍କା ଥିବାରୁ ଗତ କିଛି ଦିନ ଧରି ନିଜ ପରିବାର ସହ ଗୋପନୀୟ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ଟ୍ରୁଡୋ । ଆଉ ତାଙ୍କର ଏହି ଆଚରଣକୁ ନେଇ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ କରିଛନ୍ତି କଟାକ୍ଷ । କୃଷି ଆଇନକୁ ନେଇ ବିରୋଧ ପ୍ରର୍ଦଶନ ଚାଲିଥିବା ସମୟରେ ଚାଷି ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।

Advertisment

ଡିସେମ୍ବର, ୨୦୨୦ରେ ଚାଷିଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ସମର୍ଥନ କରିବା ସହ ଚାଷିଙ୍କ ଏଭଳି ଆଚରଣ କୁ ଠିକ ବୋଲି ମନ୍ତବ୍ୟ ଦେଇଥିଲେ କାନାଡା ପ୍ରଧାନମନ୍ତ୍ରୀ । ଫଳରେ ଏବେ ତାଙ୍କୁ ସମାଲୋଚନା ଶୀକାର ହେବାକୁ ପଡିଛି । ଅନେକ ଭାରତୀୟ ସୋସିଆଲ ମିଡିଆ ବ୍ୟବହାର କାରୀ ଜେସା କୁ ତେସା କହି ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ କଟାକ୍ଷ କରିଛନ୍ତି ।

କାନାଡାରେ ଟିକା କରଣକୁ ବାଧ୍ୟତାମୂଳକ କରାଯିବା ନିୟମକୁ ବିରୋଧ କରି ଗତ ତିନି ଦିନ ଧରି ରାଜାଧାନୀ ଓଟାୱାରେ ପ୍ରଦର୍ଶନ ଜାରି ରହିଥି । ଆନ୍ଦୋଳନକାରୀ ସଂସଦ ଭବନକୁ ଘେରିବା ସହ ୨୦ ହଜାର ଅଧିକ ଟ୍ରକ ଡ୍ରାଇଭର ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଚାରିଆଡ ଘେରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସେପଟେ ପ୍ରର୍ଦଶନକାରୀଙ୍କ ବ୍ୟବହାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଟୁଇଟ୍ କରି କହିଛନ୍ତି - ଗତ ଦୁଇ ବର୍ଷ ହେବ ମହାମାରୀ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଛି ଏବଂ ଏହା ବିରୁଦ୍ଧରେ ସଂଗ୍ରାମ ମଧ୍ୟ ଜାରି ରହିଛି । କିନ୍ତୁ ରାଜଧାନୀରେ ଆନ୍ଦୋଳନ କରୁଥିବା କିଛି ଲୋକଙ୍କ ଯୋଗୁଁ କାନାଡା ବାସି ଅଶାନ୍ତିରେ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।