ହିଂସା ଭିତରେ ସରିଲା ଛତିଶଗଡ଼ରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତାଙ୍କ ଜୋରଦାର କସରତ

117

କନକ ବ୍ୟୁରୋ: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଉଭୟ କଂଗ୍ରେସ ଏବଂ ବିଜେପିର ହେବିୱେଟ ନେତା ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି । ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ ଭିତରେ ଭୋଟରଙ୍କ ମୁଡ ଜିଣିବାକୁ ପ୍ରୟାସ କରିଛନ୍ତି । ହେଲେ ଏହାରି ଭିତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମାଓବାଦୀ ଲ୍ୟାଣ୍ଡମାଇନ୍ ବିଛାଉଥିବା ବେଳେ ବିସ୍ଫୋରଣ ହେବାରୁ ଜଣେ ମାଓବାଦୀ ପ୍ରାଣ ହରାଇଛନ୍ତି । ସେହିପରି ଶନିବାର ମାଓ ହିଂସାରେ ଜଣେ ବିଜେପି ନେତା ହତ୍ୟାର ଶିକାର ହୋଇଥିଲେ ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ମତଦାନ କେନ୍ଦ୍ର ଅଭିମୁଖେ ପୁଲିଂ ପାର୍ଟି । ଛତିଶଗଡ଼ରେ ଲାଲ୍ ବାହିନୀର ଭୟ ଥିବାରୁ ନିର୍ବାଚନ ଦାୟୀତ୍ୱରେ ଥିବା ଅଧିକାରୀମାନଙ୍କୁ ଆକାଶମାର୍ଗରେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ପ୍ରଥମ ପର୍ଯାୟ ମତଦାନରେ ୨୦ଟି ବିଧାନସଭା ଆସନରେ ନିର୍ବାଚନ ହେବ । ଏଥିରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଆଉ ମୋଟ୍ ୪୦ ଲକ୍ଷ ୭୮ ହଜାର ଭୋଟର୍ ତାଙ୍କ ମତଦାନ କରିବେ । ଏପଟେ ଅନ୍ତିମ ଦିନରେ ଦେଖିବାକୁ ମିିଳିଛି ହାଇଭୋଲଟେଜ୍ ପ୍ରଚାର ।

ଉଭୟ ବିଜେପି ଓ କଂଗ୍ରେସର ହେବିୱେଟ ନେତା ପ୍ରଚାର କରି ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସ୍କୁଟିରେ ରୋଡ୍ ଶୋ କରି ପ୍ରଚାର କରିଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି । ଯୋଗୀ ଆଦିତ୍ୟନାଥ ଏକ ବିଶାଳ ସଭାରେ ଯୋଗଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ମହାଦେବ ଆପ୍ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛନ୍ତି ।

ଏସବୁ ଭିତରେ ପ୍ରବାସୀ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଭରପୁର ଉଦ୍ୟମ କରିଛି ବିଜେପି । ସୀମାନ୍ତ ଜିଲ୍ଲାର ବିଜେପି ନେତାମାନେ ନିର୍ବାଚନ ହେଉଥିବା ଅଂଚଳକୁ ଯାଇ, ବିଜେପି ସମର୍ଥନରେ ପ୍ରଚାର କରିଛନ୍ତି । କଂଗ୍ରେସକୁ ହଟାଇ ବିଜେପିକୁ କ୍ଷମତାରେ ବସାଇବା ପାଇଁ ଜୋରଦାର ପ୍ରଚାର କରିଛନ୍ତି ଦଳୀୟ ନେତା ।

ନିର୍ବାଚନର ଏହି ଉସ୍ମତା ଭିତରେ ଲାଲ୍ବାହୀନିର ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ସୁକମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ ତଥା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ବିସ୍ଫୋରଣ ଘଟିଛି । ଅନ୍ୟପଟେ ମାଓବାଦୀଙ୍କୁ ମୁହଁତୋଡ଼ ଜବାବ୍ ଦେଇଛନ୍ତି ବିଏସଏଫ ଯବାନ । ବିଜେପି ନେତାଙ୍କୁ ହତ୍ୟାର କିଛି ଘଂଟା ଭିତରେ ନକ୍ସଲ କ୍ୟାମ୍ପ ଉଡ଼ାଇ ଦେଇଛନ୍ତି ଯବାନ । ଗତକାଲି ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ମାଓବାଦୀ ।