କାଲି ସରିବ ଉପ-ନିର୍ବାଚନ ପାଇଁ ପ୍ରଚାର : ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ ଓ ଦଳୀୟ ନେତା

69

କନକ ବ୍ୟୁରୋ : ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ସେଥିପାଇଁ ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳର ଉଦ୍ୟମ ଜାରି ରଖିଛନ୍ତି । ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ ଓ ଦଳୀୟ ନେତା । ଜଗତସିଂହପୁରର ତିର୍ତ୍ତୋଲରେ ଜମୁଛି ଉପନିର୍ବାଚନ ପ୍ରଚାର । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଆଜି ପ୍ରଚାର ମୈଦାନରେ ବିଜେଡିର ତୁଙ୍ଗ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଶାଳ ରାଲି କରି ଭୋଟ୍ ଭିକ୍ଷା କରୁଛନ୍ତି ଦଳୀୟ ନେତା ଓ କର୍ମୀ ।

ବାଲେଶ୍ୱରରେ ବିଜେଡି ପକ୍ଷରୁ ଦଳିୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା । ଶହଶହ ବିଜେଡି କର୍ମୀଙ୍କ ସହ ରାଲି କରିଛନ୍ତି ବିଜେଡି ତୁଙ୍ଗ ନେତା । ସେହିପରି କଂଗ୍ରେସ ପ୍ରାର୍ଥୀ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ସେପଟେ ଭୋଟ ହାତେଇବା ପାଇଁ ବିଜେପି ମଧ୍ୟ ରାଲି ଓ ଜନସଭାର ଆୟୋଜନ କରୁଛି । ଆସନ୍ତା ୩ ତାରିଖରେ ଭୋଟ୍ ପଡିବ । ସେଥିପାଇଁ ଆସନ୍ତାକାଲି ସରିବ ପ୍ରଚାର କାମ । ଏହାକୁ ନଜରରେ ରଖି ପ୍ରଚାର ମୈଦାନରେ ଏବେ ବିଜେଡିର ହେଭିୱେଟ୍ ନେତାଙ୍କ ଭିଡ ଦେଖିବାକୁ ମିଳିଛି ।