ପଦ୍ମପୁରରେ ସରିଲା ପ୍ରଚାର । ଶେଷଦିନରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ସେପଟେ ଘର ଘର ବୁଲି ପ୍ରଚାର କଲେ ବର୍ଷା

119

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ଶେଷ ଦିନରେ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ସବୁଦଳର ହେବିୱେଟ୍ ନେତା ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର । ହେଲେ ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଅନ୍ୟ ନେତାଙ୍କୁ ସାଙ୍ଗରେ ଧରି ବିରାଟ ଶୋଭାଯାତ୍ରା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାୱାର ଶୋ ପରେ ଆଜି ବିଜେପି ଦେଖାଇଛି ଶକ୍ତି । ସେହିପରି ଗଡରକ୍ଷା କରିବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ପ୍ରଚାର କରିଛି ବିଜେଡି । ସେପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ତାଙ୍କର ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରଚାର କରିଛନ୍ତି ।

ତିନି ଦଳର ପ୍ରଚାରରେ ଶେଷ ଦିନରେ କମ୍ପିଛି ପଦ୍ମପୁରର ପ୍ରଚାର ମଇଦାନ । ବିଜେଡି, ବିଜେପି ଓ କଂଗ୍ରେସ ତିନି ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଶେଷ ଦିନରେ ପ୍ରଚାର କରିଛନ୍ତି ।

  • ଶେଷ ଦିନରେ ବିଜେପିର ଶକ୍ତି ପ୍ରଦର୍ଶନ
  • ଶୋଭଯାତ୍ରା କଲେ,ଭୋଟ ମାଗିଲେ

ନବୀନଙ୍କ ପାୱାର ଶୋ ପରେ, ପଦ୍ମପୁର ଉପ ନିର୍ବାଚନ ପ୍ରଚାରର ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ପ୍ରାଥୀ ପ୍ରଦୀପ ପୁରୋହିତ ଓ ଅନ୍ୟ ନେତାଙ୍କୁ ସାଙ୍ଗରେ ଧରି ବିରାଟ ଶୋଭାଯାତ୍ରା କରିଛନ୍ତି । ଶୋଭାଯାତ୍ରାରେ ହଜାର ହଜାର ମହିଳାଙ୍କୁ ସାମିଲ କରି ଶକ୍ତି ଦେଖାଇଛି ଭାରତୀୟ ଜନତା ପାର୍ଟି । ତେବେ ଜନସଭାରୁ ଶାସକ ଦଳ ଉପରେ ବର୍ଷିଛନ୍ତି ବିଜେପିର ବହୁ ନେତା ।

  • ବିଜେଡିର ସ୍ୱତନ୍ତ୍ର ରଣନୀତି
  • ଘର ଘର ବୁଲି ପ୍ରଚାର କଲେ ବର୍ଷା

ବିଜେଡି ଗଡ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ପ୍ରଚାର କରିଛି । ବଡ ବଡ ରୋଡ ଶୋ, କରିବା ପରିବର୍ତ୍ତେ ଛୋଟ ଛୋଟ ରାଲି କରିି, ଶେଷ ଦିନରେ ଅଧିକ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଛି । ଦଳର ରଣନୀତି ଅନୁସାରେ, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି । ଭୋଟରଙ୍କ ପାଖକୁ ଯାଇ ସେମାନଙ୍କ ହୃଦୟ ଜିଣିବାକୁ ଉଦ୍ୟମ କରିଛନ୍ତି । ଦଳର ଅନ୍ୟନେତାମାନେ ବି ନିର୍ବାଚନମଣ୍ଡଳୀରେ ବୁଲି ବୁଲି ଜୋରଦାର ପ୍ରଚାର କରିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ତାଙ୍କର ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରଚାର କରିଛନ୍ତି ।

ପ୍ରାୟ ଦୁଇ ସପ୍ତାହ ହେଲା ପ୍ରଚାରରେ କମ୍ପୁୂଥିବା ପଦ୍ମପୁରରେ ଦେଖିବାକୁ ମିଳିଥିଲା ମାଳମାଳ ଏସୟୁଭି ଗାଡି । ସେଥିରେ ଅଧିକାଂଶ ଗାଡି ଭୁବନେଶ୍ୱର ନମ୍ବରର ଗାଡି ଥିଲା । ଅର୍ଥାତ ପଦ୍ମପୁରରେ ନିର୍ବାଚନ ହେଉଥିଲେ ବି ଭୁବନେଶ୍ୱରରୁ ବହୁ ରାଜନେତା ଓ କର୍ମୀ ମାଡିଆସିଥିଲେ । ସେହିପରି ବିଭିନ୍ନ ସ୍ଥାନରେ ଲାଗି ରହିଥିଲା ଭୋଜିଭାତ । ଯାହା ପ୍ରଚାର ହେବା ସହ ଶେଷ ହୋଇଯାଇଛି । ଆଉ ନେତାମାନେ ଫେରିଯାଇଛନ୍ତି ।