ନଭେମ୍ବର ୩ ଓ ୭ରେ ୫୭ଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା । କେରଳ ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟରାଜ୍ୟ ମାନଙ୍କରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଉତ୍ତରପ୍ରଦେଶ ୮ ଓ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ ଟି ଆସନ ଖାଲି ।

219

କନକ ବ୍ୟୁରୋ : ୧୨ ଟି ରାଜ୍ୟରେ ହେବାକୁ ଥିବା ୫୬ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମଙ୍ଗଳବାର ଦିନ ନିର୍ବାଚନ ଏହି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ବିହାରର ଗୋଟିଏ ଲୋକସଭା ଆସନ ଓ ମଣିପୁରର ୨ ଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ କରାଯିବ । ଭିନ୍ନ ଭିନ୍ନ ରାଜ୍ୟରେ ହେବାକୁ ଥିବା ଅନ୍ୟ ୫୩ ଟି ବିଧାନସଭା କ୍ଷେତ୍ର ପାଇଁ ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ କରାଯିବ । ଅନ୍ୟପଟେ ସବୁ ଭୋଟ ଗ୍ରହଣ ପରେ ବିହାର ନିର୍ବାଚନରେ ହେବାକୁ ଥିବା ମତଗଣନା ତାରିଖ ନଭେମ୍ବର ୧୦ ରେ ଏକା ସାଙ୍ଗରେ ମତଗଣନା ହେବ । ସେପଟେ କେରଳ ଓ ପଶ୍ଚିମବଙ୍ଗରେ ଯେଉଁ ସବୁ ଆସନରେ ଉପନିର୍ବାଚନ ହେବାକୁ ଅଛି ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ନିର୍ବାଚନ କମିଶନ ।

ଏହା ପୂର୍ବରୂୁ ନିର୍ବାଚନ କମିଶନ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ସୂଚନା ଦେଇଥିଲେ କି ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ୨୯ ତାରିଖରେ ଘୋଷଣା କରାଯିବ ।
ଉପନିର୍ବାଚନ ହେବାକୁ ଥିବା ୫୬ ଟି ବିଧାନସଭା ଆସନ ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୭ ଟି ଆସନ ରହିଛି । ଯାହା ମଧ୍ୟରୁ ୨୨ ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ଏହା ସହ ୨ ଜଣ ବିଧାୟକଙ୍କର ମୃତ୍ୟୁ ପରେ ୨ ଟି ଆସନ ଖାଲି ପଡିଛି । ଏହା ସହ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିସାରିବ ପରେ ୩ ଜଣ କଂଗେସ ବିଧାୟକ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ସେହିଭଳି ଉତ୍ତରପ୍ରଦେଶରେ ୮ ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବ । ଯାହା ମଧ୍ୟରେ ୫ ଜଣ ବିଧାୟ୍ରକଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଛି । ସେହିଭଳି ୨ ଜଣ ବିଧାୟକଙ୍କ ସଦସ୍ୟତା ଶେଷ ହୋଇଥିବାରୁ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି ଟୁଣ୍ଡଲା ଆସନରୁ ବିଧାୟକ ଥିବା ଏସପି ବଘେଲ ବିଧାୟକ ପଦ ଛାଡି ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ସେହି ବିଧାନସଭା କ୍ଷେତ୍ର ଏବେ ଖାଲି ପଡିଛି ।

ସେହିଭଳି ଓଡିଶାର ୨ ଟି ବିଧାନସଭା କ୍ଷେତ୍ରରେ ବିଧାୟକଙ୍କ ମୃତ୍ୟୁ ଦୃଷ୍ଟିରୁ ଆସନ ଖାଲି ପଡିଥିଲା । ଯାହା ମଧ୍ୟରେ ରହିଛି ବାଲେଶ୍ୱର ସଦର ଆସନ । ଯେଉଁଠାରେ କି ବିଜେପିର ମଦନ ମୋହନ ଦତ୍ତ ବିଧାୟକ ଥିଲେ । ସେହିଭଳି ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ବିଜେଡିର ବିଧାୟକ ଥିବା ବିଷ୍ଣୁ ସେଠୀଙ୍କର ମୃତ୍ୟୁ ପରେ ଏହି ଆସନ ବି ଖାଲି ପଡିଛି ।

କେରଳ ଓ ପଶ୍ଚିମବଙ୍ଗ ବ୍ୟତିତ ଅନ୍ୟସବୁ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନଭେମ୍ବର ୩ ଓ ୭ ତାରିଖରେ ଭୋଟଗ୍ରହଣ ହେବ ଓ ମତଗଣନା ବିହାର ନିର୍ବାଚନ ର ମତଗଣାନା ସହ ନଭେମ୍ବର ୧୦ ତାରିଖରେ ହେବ ।